ଭାଣ୍ଡାଲୁର ପ୍ରାଣୀ ଉଦ୍ୟାନରେ କରୋନାରେ ଆଉ ଏକ ସିଂହର ମୃତ୍ୟୁ

ଚେନ୍ନାଇ : ତାମିଲନାଡୁ ଭାଣ୍ଡାଲୁର ପ୍ରାଣୀ ଉଦ୍ୟାନରେ ବୁଧବାର କରୋନା ସଂକ୍ରମଣରେ ଆଉ ଏକ ପୁରୁଷ ସିଂହ ପ୍ରାଣ ହରାଇଛି। ପଥବନାଥନ ନାମକ ୧୨ ବର୍ଷୀୟ ଏହି ସିଂହର କୋଭିଡ ପରିକ୍ଷଣ ରିପୋର୍ଟ ଗତ ଜୁନ ୩ ତାରିଖରେ ପଜିଟିଭ ଆସିଥିଲା। ସେବେଠାରୁ ସେ ଚିକିତ୍ସାଧୀନ ରହିଥିଲା । ଅରିଗ୍ନାର ଆନ୍ନା ଜୁଲୋଜିକାଲ ପାର୍କ ଭଣ୍ଡାଲୁର ପକ୍ଷରୁ ବୁଧବାର ଜାରି ପ୍ରେସ ବିବୃତ୍ତିରେ ସିଂହଟିର ସକାଳ ୧୦ଟା ୧୫ ମିନିଟରେ ମୃତ୍ୟୁ ହୋଇଥିବାର ସୂଚିତ କରାଯାଇଛି।
ପ୍ରାଣୀ ଉଦ୍ୟାନରେ କୋଭିଡ-୧୯ ଯୋଗୁ ଏହା ଦ୍ୱିତୀୟ ମୃତ୍ୟୁ। ଏହା ପୂର୍ବରୁ ଜୁନ ୩ ତାରିଖ ଦିନ ଉଦ୍ୟାନରେ ଏକ ୯ ବର୍ଷ ବୟସ୍କ ମାଇ ସିଂହର ମୃତ୍ୟୁ ହୋଇଥିଲା। ସେତେବେଳେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଅସୁସ୍ଥ ସିଂହର ଲକ୍ଷଣ ଅନୁସାରେ ଚିକିତ୍ସା କରିଥିଲେ ବି କୌଣସି ସୁଫଳ ମିଳିନଥିଲା। ଏଣୁ କୋଭିଡ-୧୯ ସନ୍ଦେହ କରାଯାଉଥିବା ବେଳେ ପାଶବନାଥନ ଅସୁସ୍ଥ ହେବାରୁ ଏହାର ନମୁନା ସଂଗ୍ରହ କରି ଭୋପାଲସ୍ଥିତ ଏନଆଇଏଚଏସଏଡିକୁ ପଠାଯାଇଥିଲା। ସିଂହଟି କୋଭିଡ ସଂକ୍ରମିତ ହୋଇଥିବା ନେଇ ଜୁନ ୩ ତାରିଖ ଦିନ ପ୍ରାଣୀ ଉଦ୍ୟାନକୁ ଜଣାଇ ଦିଆଯାଇଥିଲା। ଭଣ୍ଡାଲୁର ଜୁ ସଫାରି ପାର୍କ ଅଞ୍ଚଳରେ ରହୁଥିବା ୫ଟି ସିଂହ ଠିକ୍ରେ ଖିଆପିଆ କରୁନଥିବା ବେଳେ କାସୁ ଥିବାର ମେ ୨୬ ତାରିଖରେ ଜଣାପଡିଥିଲା। ପ୍ରାଣୀ ଉଦ୍ୟାନ ଭେଟନାରୀ ତୁରନ୍ତ ପଦକ୍ଷେପ ନେବା ସହ ସେମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଏଥିରେ ପ୍ରାଣୀ ଉଦ୍ୟାନରେ ରହୁଥିବା ମୋଟ ୧୧ ଟି ସିଂହଙ୍କର ନମୁନା ସଂଗ୍ରହ କରି ଏନଆଇଏଚଏସଏଡିକୁ ପଠାଯାଇଥିଲା। ଏଥିରୁ ୯ଟି ସିଂହ କୋଭିଡ ପଜେଟିଭ ଥିବା ରିପୋର୍ଟ ଆସିଥିଲା। ପ୍ରାଣୀ ଉଦ୍ୟାନରେ ସିଂହମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଜୁ ପରିଦର୍ଶନ କରିବା ସହ ପରିସ୍ଥିତି ନିରକ୍ଷଣ କରିଛନ୍ତି। ଉଦ୍ୟାନରେ ଅସୁସ୍ଥ ସିଂହମାନଙ୍କୁ କ୍ୱାରେଣ୍ଟାଇନରେ ରଖା ଯାଇଥିବା ବେଳେ ଆଣ୍ଟିବୋୟାଟିକ ଓ ଅନ୍ୟ ଔଷଧ ଦ୍ୱାରା ଚିକିତ୍ସା କରାଯାଉଛି। ଷ୍ଟାଲିନ ତାମିଲନାଡୁ ଜୁ ପ୍ରାଧିକରଣଙ୍କ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ତେବେ ଉଦ୍ୟାନକୁ କିପରି କରୋନା ବ୍ୟାପିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।