ଆସୁଛି ଆଉ ଏକ ଲଘୁଚାପ, ୩ରୁ ପ୍ରବଳ ବର୍ଷା
ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୨୯ ତାରିଖ ମଧ୍ୟରେ ଦକ୍ଷିଣ ଅଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ର ଖସିବ। ଫଳରେ ଘନ କୁହୁଡି ପଡିବା ସମ୍ଭାବନା ରହିଛି। ଉଭୟ ଉତ୍ତର ଓ ଦକ୍ଷିଣ ଓଡିଶାକୁ ସତର୍କ ସୂଚନା ।
ଆଇଏମଡ଼ିର ପୂର୍ବାନୁମାନ ଅନୁଯାୟୀ ଲଘୁଚାପ କ୍ଷେତ୍ର ସୃଷ୍ଟିର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅଧିକ ସ୍ପଷ୍ଟ ହେବ ଏବଂ ଓଡିଶା ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଡିସେମ୍ବର ୩ ରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଏପରିକି ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୁପ ମଧ୍ୟ ନେଇପାରେ । ଏହାର ପ୍ରଭାବରେ ଡିସେମ୍ବର ୩ ରୁ ୫ ମଧ୍ୟରେ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ ଜାରି ରହିବ । ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପରୁ, ଖୋର୍ଦ୍ଧା, ପୁରୀ ନୟାଗଡ ଓ ଗଞ୍ଜାମ । ସେହିପରି ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । ଏହିସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି । ଅନ୍ୟପଟେ ବର୍ଷା ପରେ ରାତ୍ରୀ ତାପମାତ୍ରା ବୃଦ୍ଧି ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।