ବାଲେଶ୍ୱର ଡିଆର୍ଡିଓରୁ ପୁଣି ଥରେ ପ୍ରତିରକ୍ଷା ତଥ୍ୟ ପ୍ରଘଟ : ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ
ବାଲେଶ୍ୱର : ପ୍ରତିରକ୍ଷା ତଥ୍ୟ ପୁଣି ଥରେ ପ୍ରଘଟ । ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍ଡିଓ)ରୁ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ । ହନିଟ୍ରାପ୍ର ଶିକାର ହୋଇ ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ବାଲେଶ୍ୱର ପୋଲିସ ଜଣଙ୍କୁ ଗିରଫ କରିଥିବା ଶୁକ୍ରବାର ସୂଚନା ଦେଇଛି । ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ଆଇଟିଆରର ବରିଷ୍ଠ ଅଧିକାରୀ ବୋଲି ସୂଚନା ମିଳିଛି । ଡିଆର୍ଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୋଲିସ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛି ।
ଗଣମାଧ୍ୟମର ପ୍ରତିନିଧିଙ୍କୁ ଆଇଜି ହିମାଂଶୁ ଲାଲ ଓ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ କହିଛନ୍ତି, ଯାହାକୁ ଗିରଫ କରାଯାଇଛି ତା’ପାଖରେ ତଥ୍ୟ ରହିଛି । ବାଲେଶ୍ୱର ପୋଲିସ ଏବଂ ସେଣ୍ଟ୍ରାଲ ଏଜେନ୍ସି ମିଳିତ ଭାବେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଦୀର୍ଘ ୧ ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ପାକିସ୍ତାନକୁ ଯୋଗାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ମୋବାଇଲ୍ ମାଧ୍ୟମରେ ସେ ରାଓଲପିଣ୍ଡିରେ ଥିବା ବ୍ୟକ୍ତିଙ୍କୁ ତଥ୍ୟ ଲିକ୍ କରିଥିଲା । ହ୍ୱାଟ୍ସଆପ୍ ମାଧ୍ୟମରେ ମେସେଜ୍, ଫଟୋ ଓ ଭିଡ଼ିଓ ଦେଉଥିଲା । ଏହି ଘଟଣାର ନିରପେକ୍ଷ ତଦନ୍ତ ଚାଲିଛି । ଆଗକୁ ପଚରାଉଚରା ଚାଲିବ, ତଥ୍ୟ ଆଧାରରେରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗିରଫ ବ୍ୟକ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର। ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିଲେ ପାକିସ୍ତାନୀ ଏଜେଣ୍ଟ । ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ସନ୍ଦେହ କରି ପୋଲିସ ତଦନ୍ତ ଚଳାଇଛି।
ସୂଚନା ଯେ, ପ୍ରଥମେ ଈଶ୍ୱର ବେହେରା ଗତ ୨୦୧୪ ମସିହାରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଡିଆର୍ଡିଓର ଗୁପ୍ତ ତଥ୍ୟ ଲିକ୍ କରିବା ପ୍ରସଙ୍ଗରେ ପ୍ରଥମେ ଚାନ୍ଦିପୁର ପୋଲିସ ଦ୍ୱାରା ଗିରଫ ହୋଇଥିଲା । ଏନେଇ ଈଶ୍ୱରଙ୍କ ବିରୁଦ୍ଧରେ ଆଇପିସି ୧୨୦/୧୨୧-ଏ/୧୨୧-ବି ସହ ୩ ଓ ୫ ଅଫିସିଆଲ ସିକ୍ରେଟ୍ ଆକ୍ଟ ଭଳି ସଙ୍ଗିନ ଦଫା ଲାଗିଥିଲା । ଈଶ୍ୱର ଦେଶବିରୋଧି କାର୍ଯ୍ୟରେ ସଂପୃକ୍ତ ଥିବାରୁ ଏହି ସବୁ ଦଫା ଲାଗିଛି । ପରେ ଏହି ମାମଲା କ୍ରାଇମବ୍ରାଞ୍ଚ୍ ହାତକୁ ନେଇଥିଲା । ଗିରଫ ପରେ ଈଶ୍ୱର ବାଲେଶ୍ୱର ଜେଲ୍ରେ ବିଚାରାଧୀନ କଏଦୀ ଭାବେ କାଳ କାଟୁଥିଲା । ଈଶ୍ୱର ୯ ଅଙ୍କ ବିଶିଷ୍ଟ ଏକ କଲରେ ଆଇଏସଆଇ ଏଜେଣ୍ଟଙ୍କ ସହ କଥାବାର୍ତ୍ତା ହେଉଥିଲା । ଯେଉଁ ନମ୍ବରରେ କଥା ହୋଇଥିଲା ସେହି ନମ୍ବର ଆଗରୁ +୯୧ ଲାଗିଥିଲା । ରିଟ୍ରାଇଭ୍ ଡାଟାରୁ ଜଣାଯାଇଥିଲା ଯେ ଈଶ୍ୱର ବାହାର ଦେଶର ଏକ ନମ୍ବରରୁ ଆସିଥିବା କଲରୁ କଥା ହୋଇଛି । ଈଶ୍ୱରର ଭଏସ ସାମ୍ପଲ୍ ସାଇଣ୍ଟିଫିକ୍ ଲ୍ୟାବକୁ ଯାଇଥିଲା । ଯାହାକି ଈଶ୍ୱର ଆଇଏସଆଇ ଏଜେଣ୍ଟ ସହ ରେଗୁଲାର ଯୋଗାଯୋଗରେ ରହିଥିବା ଜଣାପଡ଼ିଥିଲା । ଈଶ୍ୱର ଟିଭି କିଣିବାକୁ ପଇସା ମାଗିଥିଲା ଆଇଏସଆଇ ଏଜେଣ୍ଟକୁ । ଆଇଟିଆରର କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ସବୁ ଘଟଣାକୁ ଆଇଏସଆଇ ଏଜେଣ୍ଟକୁ ଜଣେଇ ଦେଉଥିଲା । ଈଶ୍ୱର ମିରଟର ଆଇଏସଆଇ ଗୁଇନ୍ଦା ଅଶିଫ ଅଲ୍ଲୀର ଯୋଗାଯୋଗରେ ଥିଲା । ଈଶ୍ୱର ଆକାଉଣ୍ଟକୁ ବିଭିନ୍ନ ସମୟରେ ବହୁତ ଟଙ୍କା ଆସିଛି । ଏଭଳିକି ବହାରଦେଶ ଆବୁଧାବିରୁ ଟଙ୍କା ଆସିବା ସହ ବିହାର, ଆଜମେର, କୋଲକାତାରୁ ବି ଟଙ୍କା ଆକାଉଣ୍ଟକୁ ଆସିଛି । ଈଶ୍ୱରର ଆଇଏସ୍ଆଇ ଏଜେଣ୍ଟଙ୍କ ସହ ୬୬୦ ସେକେଣ୍ଡର କଥା ବାର୍ତ୍ତା ହେଉଛି ଆଇଏସ୍ଆଇ ଲିଙ୍କର ବଳିଷ୍ଠ ପ୍ରମାଣ । ଉକ୍ତ ମାମଲାକୁ ବିଚାର କରି ଗତ ୨୦୨୧ ଫେବୃୟାରୀ ୧୧ ତାରିଖରେ ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରଜଜ୍ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣି କରି ଈଶ୍ୱରକୁ ଦଣ୍ଡିତ କରିଥିଲେ । ପ୍ରକାଶିତ ରାୟ ଅନୁସାରେ ଈଶ୍ୱର ବେହେରା କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯାଇଥିଲା । ସେ ବାଲେଶ୍ୱର ଜିଲା କାରାଗାରରେ ଆଜୀବନ ସଜା ଭୋଗୁଛି ।
ସେହିପରି ଗତ ୨୦୨୧ ସେପ୍ଟେମ୍ବର ମାସରେ ବାଲେଶ୍ୱର ଚାନ୍ଦିପୁର ଡିଆରଡିଓରେ ଗୁପ୍ତଚରୀ ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତ ଗିରଫ ହୋଇଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା (୫୨), ଆଇଟିଆର୍ରେ ଠିକା କର୍ମଚାରୀ ଡିଜି ଅପରେଟର ଭାବେ କାର୍ଯ୍ୟ କରୁଥିବା ସଦର ଥାନା ଅନ୍ତର୍ଗତ ବୁଆଁଳ ଗ୍ରାମର ହେମନ୍ତ କୁମାର ମିସ୍ତ୍ରୀ (୫୨), ଆଇଟିଆର୍ରେ ଠିକା କର୍ମଚାରୀ ମେନ ଗେଟ୍ରେ କାର୍ଯ୍ୟ କରୁଥିବା ସଦର ଥାନା ଅନ୍ତର୍ଗତ ପାଳସିଆ ଗ୍ରାମର ତାପସ ରଞ୍ଜନ ନାୟକ (୪୧), ଆଇଟିଆର୍ରେ ଠିକା କର୍ମଚାରୀ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ଏସ୍କେ ମୁସାଫିର (୩୨) ଓ ଡିଆର୍ଡିଓର ସ୍ଥାୟୀ ଡ୍ରାଇଭର ଉତ୍ତରପ୍ରଦେଶ ଅଞ୍ଚଳର ସଚିନ ଛଥା । ହନିଟ୍ରାପ୍ରେ ଶୀକାର ହୋଇ ଯୁବତୀଙ୍କ ପ୍ରେମ ଓ ଅର୍ଥ ଲୋଭରେ ଉକ୍ତ ୫ଜଣ ଅଭିଯୁକ୍ତ ଶତ୍ରୁ ଦେଶକୁ ଡିଆର୍ଡିଓର ଗୁପ୍ତ ତଥ୍ୟ ମହିଳାଙ୍କୁ ଜଣାଉଥିଲେ । ଏନେଇ ନୂଆଦିଲ୍ଲୀରେ ଭାରତୀୟ ଗୁଇନ୍ଦା ସଂସ୍ଥା (ଆଇବି) ଜାଣିପାରିଥିଲେ ।