ଆଉ ଏକ ଦାବିକୁ ପ୍ରତ୍ୟାଖାନ କଲା କେନ୍ଦ୍ର, ଓଡ଼ିଶୀ ସଙ୍ଗୀତକୁ ଦେଲାନି ମାନ୍ୟତା
ନୂଆଦିଲ୍ଲୀ : ଓଡ଼ିଶୀ ସଙ୍ଗୀତକୁ ମିଳିଲାନି ମାନ୍ୟତା । ଓଡ଼ିଶାର ଆଉ ଏକ ଦାବିକୁ ପ୍ରତ୍ୟାଖାନ କରିଛି କେନ୍ଦ୍ର । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଦାବି କରିଥିଲେ ରାଜ୍ୟ ସରକାର । ଲୋକସଭାରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି କୌଣସି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା କେନ୍ଦ୍ର ସରକାର ଦିଅନ୍ତି ନାହିଁ ବୋଲି କହିଛନ୍ତି ।
ଯଦି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଏ ତେବେ ଏହା ଦ୍ବାରା ଓଡ଼ିଶୀ ସଙ୍ଗୀତ ଜନପ୍ରିୟ ହୋଇପାରିବ ବୋଲି କହିଥିଲେ ସାଂସଦ ଅଚ୍ୟୁତ ସାମନ୍ତ । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ କେନ୍ଦ୍ର ଆଭିମୁଖ୍ୟ ଗ୍ରହଣ କରିବା ନେଇ ଯେଉଁ ଆଶା କରାଯାଉଥିଲା ତାହା ଆଶାରେ ରହିଛି । ପାଇକ ବିଦ୍ରୋହ ପରି ଓଡିଶୀ ସଙ୍ଗୀତକୁ ମଧ୍ୟ ମାନ୍ୟତା ମିଳିନାହିଁ । ଗତବର୍ଷ ସେପ୍ଟମ୍ବର ୨୫ରେ ମୁଖ୍ୟମନ୍ତ୍ରୀ ତତକାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଏକ ପତ୍ର ଲେଖିବା ସହ ଓଡିଶୀ ସଙ୍ଗୀତ ସମ୍ପର୍କରେ ଏକି ବିସ୍ତୃତି ତଥ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସଂଗ୍ରହାଳୟ ପାଇଁ ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଓଡିଶାର କଳା ଓ ସଙ୍ଗୀତପ୍ରେମୀ ଚଳାଇଥିବା ଉଦ୍ୟମ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରାଜ୍ୟ ସରକାର ।
ସୂଚନା ଯେ, ପୂର୍ବରୁ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ପାଇଁ ଓଡିଶା କରିଥିବା ଦାବିକୁ ଆଗ୍ରାହ୍ୟ କରିଦେଇଥିଲା କେନ୍ଦ୍ର । ଏହା କେବଳ ଏନସିଆରଟି ପାଠ୍ୟକ୍ରମର ଇତିହାସ ବହିରେ କେସ ଷ୍ଟଡି ଭାବେ ପାଠ୍ୟକ୍ରମରେ ସାମିଲ ହୋଇଛି । ଓଡିଶାବାସୀ ଆଶା କରିଥିଲେ କେନ୍ଦ୍ର ପାଇକ ବିଦ୍ରୋହକୁ ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବ । ମାତ୍ର ବିଡମ୍ବନା ଏବେ କେନ୍ଦ୍ର ରାଜ୍ୟର ଏହି ଦାବିକୁ ରଖିନାହାନ୍ତି । ପାଇକ ବିଦ୍ରୋହକୁ ମାନ୍ୟତା ନ ମିଳିବାକୁ ବିରୋଧ କରିଛନ୍ତି ବିଜେଡି ସାଂସଦ । ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି ।