ଦେଶରେ ଆଉ ୬୧୫୫ କରୋନା ସଂକ୍ରମିତ ଓ ୯ ମୃତ
୩୧ ହଜାର ଟପିଲା ସକ୍ରିୟ ମାମଲା
ନୂଆଦିଲ୍ଲୀ : ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ । ଦୈନିକ ମାମଲାରେ ଲଗାତାର ବୃଦ୍ଧି ରେକର୍ଡ କରାଯାଉଛି । ଲଗାତାର ଦ୍ୱିତୀୟ ଦିନ ସଂକ୍ରମଣ ୬୦୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୬୧୫୫ ନୂଆ ମାମଲା ରିପୋର୍ଟ ହୋଇଛି। ଗତକାଲି ୬୦୫୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୧,୧୯୪ କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟାରେ ୯ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୯୫୪କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୨୫୩ ଲୋକ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୪,୪୧,୮୯,୧୧୧ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ କରୋନାରୁ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ରହିଛି। ଦୈନିକ ପଜିଟିଭିଟି ହାର ୫.୬୩ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭିଟି ହାର ୩.୪୭ ପ୍ରତିଶତ ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୨୦,୬୬,୨୨,୬୬୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଗତକାଲି ପରୀକ୍ଷା କରାଯାଇଛି ୧,୦୯,୩୭୮ଟି ନମୁନା।