ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଘୋଷଣା : ୬୪,୨୧୪ ଆଦିମ ଜନଜାତି ପରିବାରଙ୍କ ଆକାଉଂଟକୁ ଗଲା ୫୦୦୦ ଟଙ୍କା
- ୬୦ ହଜାର ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଛାତ୍ର ବୃତି
- ଏ ବିପଦ ସମୟରେ ସରକାର ଆପଣଙ୍କ ସାଥିରେ ଅଛନ୍ତି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (ପିଭିଟିଭି) ୫୦୦୦ ଟଙ୍କା ଲେଖାଏଁ ‘ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ‘ ପ୍ରଦାନ କରିଛନ୍ତି । କୋଭିଡର ଦ୍ୱିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ôଥକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ଏହା ସମସ୍ତଙ୍କ ବ୍ୟାଙ୍କ ଆକାଉଂଟକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଜାଣେ କାରୋନା ରୋଗ ଯୋଗୁଁ ଗରିବ ଲୋକଙ୍କ ରୋଜଗାର ଉପରେ ବହୁତ ପ୍ରଭାବ ପଢିଛି । ଆପଣମାନଙ୍କ ରୋଜଗାର ଉପରେ ମଧ୍ୟ ବହୁତ ପ୍ରଭାବ ପଡିଛି । ଏ ବିପଦ ସମୟରେ ଆପଣମାନେ ଏକା ନୁହନ୍ତି । ଆପଣଙ୍କ ସାଥିରେ ସରକାର ଅଛନ୍ତି । ଆପଣଙ୍କ କଲ୍ଯାଣ ପାଇଁ ସରକାର କାମ କରୁଛି । ପିଭିଟିଭି ଜନଜାତି ଭାଇ ଭଉଣୀଙ୍କ ମଧ୍ୟରୁ ୩୦୦ ରୁ ଅଧିକ ଲୋକ କାରୋନାରେ ପୀଡିତ ଥିଲେ । ସେତେବେଳେ ସେମାନଙ୍କୁ ୨୫୦୦ ଟଙ୍କାର ରାସନ୍ କିଟ୍ ଦିଆଯାଇଥିଲା । ତା ସହିତ ମଜୁରୀ କ୍ଷତି ଭରଣା ପାଇଁ ୧୪୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ବିଷୟରେ ଆମେ ବିଶେଷ କିଛି ଜାଣି ନାହୁଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ । ମାସ୍କ ପିନ୍ଧିବା , ବାରମ୍ବାର ସାବୁନରେ ହାତ ଧୋଇବା ଓ ଭିଡରୁ ଦୂରରେ ରହିଲେ କାରୋନା ଆମଠାରୁ ଦୂରେଇଯିବ । ତା ସହିତ ସମସ୍ତଙ୍କ ପାଇଁ ଦୁଇ ଡ଼ୋଜ ଟୀକା ଖୁବ ଜରୁରୀ । ସେମାନଙ୍କ ମଧ୍ୟରୁ ଅନେକ ଜଣ ଟୀକା ନେଲେଣି ଜାଣି ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିବା ସହିତ ସମସ୍ତେ ଟୀକା ନିଅନ୍ତୁ , ନିଜ ପରିବାର , ବନ୍ଧୁ ସମସ୍ତଙ୍କୁ ଟୀକା ନେବାକୁ କୁହନ୍ତୁ ବୋଲି ଅନୁରୋଧ କରିଥିଲେ ।
ଆଜି ମଧ୍ୟ ୬୦,୦୦୦ ଏସସି ଓ ଏସଟି ଛାତ୍ର ଛାତ୍ରୀଙ୍କୁ ଏପ୍ରିଲ, ମେ ଓ ଜୁନ ଏ ତିନି ମାସ ପାଇଁ ଏକକାଳୀନ ପ୍ରାକ ମାଟ୍ରିକ ଛାତ୍ରବୃତି ଦିଆଗଲା । ଏହା ପିଲାଙ୍କ ବାପା ମା‘ ଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି । ଝିଅ ମାନଙ୍କ ପାଇଁ ୨୪୦୦ ଟଙ୍କା ଓ ପୁଅ ମାନଙ୍କ ପାଇଁ ୨୨୫୦ ଟଙ୍କା ଦିଆଯାଇଛିା । ସମୁଦାୟ ୫ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ଏହି ସୁବିଧା ପାଇବେ ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ , ମୁଁ ଆଶା କରୁଛି ତୁମେ ମାନେ ଘରେ ମଧ୍ୟ ନିଜ ପାଠ ପ୍ରତି ଧ୍ୟାନ ଦେବ । ମୁଁ ଚାହେଁ ତୁମେ ମାନେ ଭଲ ପାଠ ପଢ । ବଡ ମଣିଷ ହୁଅ । ତୁମ ପରିବାର , ତୁମ ଗାଁ , ତୁମ ସମାଜକୁ ବିକାଶ ସହ ଯୋଡି ପରିବର୍ତନର ସାରଥି ହୁଅ ।“ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ସହାୟତା ଦ୍ୱାରା ଜନଜାତି ସମୁଦାୟଙ୍କ ଆର୍ôଥକ, ସାମାଜିକ ବିକାଶ ହେବା ସହିତ ସେମାନଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ । ଚିତ୍ରକୋଣ୍ଡା ଓ କରଞ୍ଜିଆର ବିଧାୟକ ମଧ୍ୟ ଉପସ୍ଥିତ ରହି ସେମାନଙ୍କର ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର କେତେକ ପିଭିଟିଭି ପରିବାର ସହିତ ଆଲୋଚନା କରିଥିଲେ । ରାୟଗଡାର ଲହରୀ ଗୁଣ୍ଡିଆ, କଳାହାଣ୍ଡିର ରତନୀ ମାଝି ଏବଂ ଆଉ କେତେ ଜଣ ହିତାଧିକାରୀ ୫୦୦୦ ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ସେମାନେ କୋଭିଡ ସମୟରେ ସରକାରଙ୍କ ଠାରୁ ଉତମ ସେବା ପାଉଛନ୍ତି ବୋଲି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଟୀକା ନେଇଛନ୍ତି କି ନାହିଁ ପଚାରି ବୁଝିଥିଲେ । ସେମାନେ ସମସ୍ତେ ଟୀକା ନେଇଛନ୍ତି ବୋଲି କହିଥିଲେ । ସେହିପରି ଛାତ୍ରବୃତି ପାଇଥିବା ସମ୍ବଲପୁରର ଜ୍ଯୋତି ସିଂ, ବିଦୂସ୍ମିତା ମୁଣ୍ଡା ଓ ମୟୂରଭଞ୍ଜର ସୋନାଲି ସୋରେନ ଓ ପାର୍ବତୀ ସୋରେନ ପ୍ରମୁଖ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ -ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁସୂଚିତ ଜନଜାତି ଓ ଜାତି ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ଦେଇଥିଲେ ଓ ଜନଜାତି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ୧୬୭୯ ଟି ପିଭିଟିଭି ଗାଁ ରହିଛି । କୋଭିଡ ସମୟରେ ରାଜ୍ୟ ସରକାର ମାସ୍କ ସାନିଟାଇଜର ଓ ସାବୁନ ବଂଟନ ସହିତ ସଙ୍ଗରୋଧ କେନ୍ଦ୍ର ଏବଂ ଟୀକାକରଣକୁ ପ୍ରାଥମିକତା ଦେଇ କୋଭିଡ ପରିଚାଳନା କରୁଛନ୍ତି । ପିଭିଟିଭି ଜନଜାତି ଙ୍କ ମଧ୍ୟରୁ ୩୧୪ ଜଣ କୋଭିଡ଼ ପୀଡ଼ିତ ହୋଇଥିଲେ ମଧ୍ୟ ଗୋଟିଏ ବି ଜୀବନ ହାନି ହୋଇନାହିଁ ବୋଲି ଜଣାପଡିଛି । ପିଭିଟିଭି ଗାଁ ମାନଙ୍କରେ୧୮ ଟି ଆମ୍ବୁଲାନ୍ସ ସହିତ କୋଭିଡ ପରିଚାଳନା କୁ ତ୍ୱରାନ୍ୱିତ କରାଯାଇଛି ।