ଅନିଲ ଦେଶମୁଖଙ୍କ ଘରେ ଆୟକର ବିଭାଗର ଚଢ଼ାଉ
ନାଗପୁର : ଆୟକର ବିଭାଗ ଶୁକ୍ରବାର ଦିନ ପୂର୍ବତନ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବାସଭବନରେ ଚଢ଼ାଉ କରିଛି । ନାଗପୁରର ଜିପିଓ ଛକରେ ଥିବା ଦେଶମୁଖଙ୍କ ବାସଭବନରେ ଏବଂ ୱାର୍ଧା ରୋଡ଼ରେ ଥିବା ହୋଟେଲ ଟ୍ରାବୋଟେଲରେ ଏକକାଳୀନ ଆୟକର ଚଢ଼ାଉ କରିଛି ।
ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ତାଙ୍କୁ ୧୦୦ କୋଟି ଟଙ୍କା ଆଦାୟ କରିବାକୁ କହିଥିବା ନେଇ ଅଭିଯୋଗ କରିବା ପରେ ଅନିଲ ଦେଶମୁଖଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହା ପରେ ଇଡ଼ି ଏବଂ ସିବିଆଇ ଦେଶମୁଖଙ୍କ ତଦନ୍ତ ଆରମ୍ଭ କରିଥିଲେ । କିଛି ଦିନ ପୂର୍ବେ ଇଡ଼ି ମଧ୍ୟ ମନି ଲଣ୍ଡରିଂ ମାମଲାରେ ଅନିଲ ଦେଶମୁଖଙ୍କ ସମ୍ପତି ଉପରେ ଚଢ଼ାଉ କରିଥିଲା । ପଚରା ଉଚୁରା ପାଇଁ ଇଡ଼ି ଅନିଲ ଦେଶମୁଖଙ୍କୁ ପାଂଚ ଥର ଡକାଇଛି । ତେବେ ପଚରା ଉଚୁରା ପାଇଁ ଅନିଲ ଦେଶମୁଖ ଏ ପର୍ଯ୍ୟନ୍ତ ଇଡ଼ି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି । ଏହା ବ୍ୟତୀତ ଆୟକର ବିଭାଗ ଏବେ ଦେଶମୁଖଙ୍କ ସ୍ଥାନରେ ଚଢ଼ାଉ କରିଛି । ଦେଶମୁଖଙ୍କ ଉପରେ ମଧ୍ୟ ଟଙ୍କା କାରବାର ଅଭିଯୋଗ ହୋଇଛି । ଏହା ପୂର୍ବରୁ ଇଡ଼ି ଏବଂ ସିବିଆଇ ଦେଶମୁଖଙ୍କ ମୁମ୍ବାଇ ଏବଂ ନାଗପୁରରେ ଅନେକ ଥର ଚଢ଼ାଉ କରିଥିଲେ । ପଚରାଉଚୁରା ପାଇଁ ଦେଶମୁଖଙ୍କୁ ମଧ୍ୟ ଡକାଯାଇଛି । ତେବେ ସେ ଏ ପର୍ଯ୍ୟନ୍ତ ପଚରା ଉଚୁରା ପାଇଁ ହାଜର ହୋଇନାହାନ୍ତି ।