ଇଡି ଆଗରେ ହାଜର ହେଲେନାହିଁ ଅନିଲ ଦେଶମୁଖ, ସମୟ ମାଗିଲେ
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖ ବୁଧବାର ଦିନ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି)ର କାର୍ଯ୍ୟାଳୟରେ ହାଜର ହେଲେ ନାହିଁ । ଦେଶମୁଖ ନିଜ ଓକିଲ ଇନ୍ଦ୍ରପାଳ ସିଂହଙ୍କ ମାର୍ଫତରେ ଇଡିକୁ ଚିଠି ଦେଇ ହାଜର ହେବାପାଇଁ ସମୟ ଦେବାକୁ ଚାହିଛନ୍ତି । ଦେଶମୁଖଙ୍କ ଏହି ଚିଠି ଉପରେ ଇଡି ବିଚାର କରୁଛି ।
ଅନିଲ ଦେଶମୁଖଙ୍କ ଓକିଲ ଇନ୍ଦ୍ରପାଳ ସିଂହ କହିଛନ୍ତି ଯେ ଅନିଲ ଦେଶମୁଖଙ୍କ ଯାଂଚ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ ଦିଆଯାଇଥିଲା । ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରେ ଲମ୍ବିତ ଅଛି । ଏହାପରେ ମଧ୍ୟ ଇଡି ଅନିଲ ଦେଶମୁଖ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବାରମ୍ବାର ସମନ ଜାରି କରିଥିଲେ ଯାହା ବୁଝିହେଉନି । ବୁଧବାର ସେ ଅନିଲ ଦେଶମୁଖ ଏବଂ ତାଙ୍କ ପୁଅ ଋଷିକେଶ ଦେଶମୁଖଙ୍କ ତରଫରୁ ଇଡିକୁ ଚିଠି ଦେଇଥିଲେ । ଏହି ଚିଠିରେ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଚାଲିଥିବା ମାମଲାର ଶୁଣାଣୀ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମୟ ଦେବାକୁ ଅନୁରୋଧ କରିଥିଲେ । ଇନ୍ଦ୍ରପାଳ ସିଂହ କହିଥିଲେ ଯେ ଇଡିର ଯାଂଚରେ ଅନିଲ ଦେଶମୁଖ ଏବଂ ତାଙ୍କ ପରିବାର ସହଯୋଗ କରୁଛନ୍ତି । ଇନ୍ଦ୍ରପାଳ ସିଂହ କହିଛନ୍ତି ଯେ ସେ ଏହି ମାମଲାରେ ହାଇକୋର୍ଟକୁ ଯିବେନାହିଁ ।
ଉଲ୍ଲେଖନୀୟ ଯେ ପୂର୍ବ ମୁମ୍ବାଇ ପୋଲିସ ଆୟୁକ୍ତ ପରମବୀର ସିଂହ ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ୧୦୦ କୋଟି ଟଙ୍କା ପ୍ରତିମାହ ବସୁଲିର ଟାର୍ଗେଟ ଦେବାର ଆରୋପ ଲଗାଇଥିଲେ । ଏହି ମାମଲାରେ ମନି ଲଣ୍ଡରିଂ ଆଙ୍ଗେଲ୍ ସହ ଇଡି ଯାଂଚ କରୁଛି ।