ଆନ୍ଧ୍ରପ୍ରଦେଶ ଓ ହରିୟାଣାରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୩୫
ଅମରାବତୀ : ଆନ୍ଧ୍ର ପ୍ରଦେଶ ଓ ହରିୟାଣାରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଆୟରଲ୍ୟାଣ୍ଡ ଫେରନ୍ତା ଆନ୍ଧ୍ରର ଜଣେ ୩୪ ବର୍ଷୀୟ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇ ଥିବାବେଳେ ହରିୟାଣାର ଜଣେ ବିଦେଶ ଫେରନ୍ତା ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୫ରେ ପହଞ୍ଚିଛି ।
ସୂଚନା ଯେ, ଆୟରଲ୍ୟାଣ୍ଡରୁ ଆନ୍ଧ୍ର ଆସିଥିବା ମୋଟ ୧୫ ଜଣ ଯାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ସାମ୍ପଲ ଜିନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ରିପୋର୍ଟ ଆସି ଥିବାବେଳେ ଜଣଙ୍କ ନିକଟରେ ଓମିକ୍ରନ ଭାରିଆଣ୍ଟ ଥିବା ଜଣାପଡିଛି । ଫଳରେ ପୂର୍ବରୁ ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ ଏବଂ କର୍ଣ୍ଣାଟକରେ ଓମିକ୍ରନ ପହଞ୍ଚି ସାରି ଥିବାବେଳେ ଏବେ ଆନ୍ଧ୍ରରେ ପହଞ୍ଚିଛି । ତେବେ ଏହି ୩୪ ବର୍ଷୀୟ ଆକ୍ରାନ୍ତ ସିଧାସଳଖ ଆନ୍ଧ୍ରରେ ପହଞ୍ଚି ନଥିଲେ । ସେ ପ୍ରଥମେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚି ଥିଲେ । ସେଠାରେ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିବା ପରେ ନଭେମ୍ବର ୨୭ରେ ବିଶାଖାପଟନମ୍ ଯିବାକୁ ଅନୁମତି ମିଳିଥିଲା । ଆନ୍ଧ୍ର ପ୍ରଦେଶର ଭିଜିଆନାଗ୍ରାମରେ ପହଞ୍ଚିବା ପରେ ତାଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ସେଠାରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ।
ଫଳରେ ତାଙ୍କ ସାମ୍ପଲ ଜିନମ ସିକ୍ବେନ୍ସିଂ ପାଇଁ ପଠା ଯାଇଥିଲା । ରବିବାର ତାଙ୍କ ଟେଷ୍ଟ ରିପୋର୍ଟ ଓମିକ୍ରନ ପଜିଟିଭ ଆସିଛି । ତେବେ ଏନେଇ ରାଜ୍ୟ ସରକାର ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି । ସାମାଜିକ ଦୂରତା, ମାସ୍କ ଏବଂ ସାନିଟାଇଜିଂକୁ ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ହରିୟାଣା ଆକ୍ରାନ୍ତ ମଧ୍ୟ ଆଫ୍ରିକୀୟ କଣ୍ଟ୍ରିରୁ ଆସିଥିବା ଜଣାପଡିଛି । ତାଙ୍କ ଜିନମ ସିକ୍ବୋନ୍ସିଂ ରିପୋର୍ଟ ପଜିଟିଭ ଆସିଛି ।