ସୁଖ-ସମୃଦ୍ଧି ପାଇଁ ମାର୍ଗଶୀର ମାସରେ ପୂଜନ୍ତୁ ଦକ୍ଷୀଣାବର୍ତ୍ତି ଶଙ୍ଖ
ଧର୍ମ ଶାସ୍ତ୍ର ଅନୁସାରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଁ ନିଜ ଘରେ ଶଙ୍ଖ ସ୍ଥାପନା କରିବା ଉଚିତ୍ । କୁହାଯାଏ କି ମାର୍ଗଶୀର ମାସରେ ଶଙ୍ଖ ପୂଜିବାର ବିଶେଷ ମହତ୍ୱ ରହିଛି । ଏହି ମାସରେ ଯେକୌଣସି ଶଙ୍ଖକୁ ଭଗବାନ ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ ଭାବି ପୂଜାର୍ଚ୍ଚନା କରିବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ବିଷ୍ଣୁ ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ପ୍ରାପ୍ତ ହୋଇଥିବା ୧୪ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ । ପ୍ରତିଦିନ ଘରେ ଶଙ୍ଖ ପୂଜିବା ଦ୍ୱାରା ଜୀବନରେ କଦାପି ଟଙ୍କା, ପଇସା, ଧନ ଆଦିର ଅଭାବ ହୋଇନଥାଏ ।
ଏହାବ୍ୟତିତ ଦକ୍ଷୀଣାବର୍ତ୍ତି ଶଙ୍ଖକୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ । ଏହି ଶଙ୍ଖ ବିନା ମା’ ଲକ୍ଷ୍ମୀଙ୍କ ଆରାଧନା ପୁରା ହୋଇନଥାଏ । ସେଥିପାଇଁ ମାର୍ଗଶୀର ମାସରେ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ଦକ୍ଷୀଣାବର୍ତ୍ତି ଶଙ୍ଖ ପୂଜା କରିବା ଉଚିତ୍ ।
ତେବେ ଆସନ୍ତୁ ଜାଣିବା କିଭଳି କରିବେ ଶଙ୍ଖ ପୂଜା । ଶଙ୍ଖ ପୂଜା କରିବା ପାଇଁ ସକାଳୁ ସ୍ନାନ ସାରି ଧୂଆ ବସ୍ତ୍ର ଧାରଣ କରିନିଅନ୍ତୁ । ଏହାପରେ ଏକ ପାତ୍ରରେ ଶଙ୍ଖ ରଖି ଦିଅନ୍ତୁ । ସେହି ଶଙ୍ଖକୁ ଜଳ ବା ଖୀରରେ ସ୍ନାନ କରାନ୍ତୁ । ସ୍ନାନ ସରିବା ପରେ ଭଲ କପଡାରେ ସେହି ଶଙ୍ଖକୁ ପୋଛି ସେଥିରେ ଚନ୍ଦନ ଲଗାଇ ଦିଅନ୍ତୁ । ଏହାପରେ ଧୂପ, ଦୀପ ଲଗାନ୍ତୁ । ପୁଣି ଶଙ୍ଖ ଉପରେ ଖୀର-କେସରରେ ମିଶ୍ରିତ ଏକାକ୍ଷରୀ ମନ୍ତ୍ର ଲେଖି ତାକୁ ଏକ ଚାନ୍ଦୀ ବା ତମ୍ବା ପାତ୍ରରେ ସ୍ଥାପନା କରି ଦିଅନ୍ତୁ । ଶେଷରେ ନୈବେଦ୍ୟ ଭୋଗ ଲଗାଇ ପୂଜା ସମ୍ପର୍ଣ୍ଣ କରନ୍ତୁ ।