ଏୟାର ସୋ ପାଇଁ ପହଞ୍ଚିଲା ଏଏନ୍ -୩୨ ବିମାନ
ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ପୁରୀଠାରେ ସୂର୍ଯ୍ୟକିରଣ ଏୟାର ସୋ’ ପାଇଁ ବାୟୁସେନାର ଇଣ୍ଡକସନ୍ ଟିମ ନେଇ ଆସିଥିବା ଏଏନ୍ ୩୨ ବିମାନ ମଙ୍ଗଳବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚି ସାରିଛି । ପୁରୀରେ ସୂର୍ଯ୍ୟକିରଣ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ୍ ବିମାନ କର୍ଣ୍ଣାଟକର ବିଦାରରୁ ଆସୁଛି । ଆଜି ସମସ୍ତ ବିମାନ ପହଂଚିବ । ଏୟାର ସୋ’ ପାଇଁ ଯନ୍ତ୍ରାଂଶ ନେଇ ଆସୁଥିବା ସି୧୭ ଗ୍ଲୋବ ମାଷ୍ଟର ମଧ୍ୟ ଆଜି ପହଂଚିବ । ଆସନ୍ତାକାଲି ସୋ’ ହେବାକୁ ଥିବା ସ୍ଥାନରେ ମ୍ୟାପିଂ କରିବ ଏୟାରଫୋର୍ସ ।
ଏୟାର ସୋ’ ନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର(ବିପିଆଇଏ)ର ନିର୍ଦ୍ଦେଶକ କହିଛନ୍ତି ଯେ, ଭୁବନେଶ୍ୱରରେ ଚଳିତ ମାସ ୧୫ ତାରିଖରେ ଫୁଲ ଡ୍ରେସ ରିହରସଲ ହେବ । ଏହା ପରେ ୧୭ରେ ପୁରୀ ହେବ ଫୁଲ ଡ୍ରେସ ରିହରସଲ । ଭୁବନେଶ୍ୱର ଲାଗି ବର୍ତମାନ ସୁଦ୍ଧା ଏୟାର ସୋ’ ପାଇଁ ଅନୁମତି ମିଳିନି । ପୁରୀରେ ଏୟାର ଶୋ’ ପାଇଁ ପୂର୍ବରୁ ଅନୁମତି ମିଳିଛି । ଭୁବନେଶ୍ୱର ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅନୁମତିକୁ ଅପେକ୍ଷା କରାଯାଇଛି ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ୧୬ ତାରିଖରେ ଏବଂ ପୁରୀ ରାଜଭବନ ନିକଟରେ ୧୮ ତାରିଖରେ ବାୟୁସେନା ପକ୍ଷରୁ ଏୟାର ସୋ’ହେବ । ବାୟୁସେନାର ପାଇଲଟମାନେ ଆକାଶ ମାର୍ଗରେ କଳା କୌଶଳ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ସମ୍ପାଦନ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା ।