ଆସନ୍ତାକାଲି ଠୁ ବଢ଼ିବ ଶୀତର ମାତ୍ରା! ଅସହ୍ୟ ଜାଡ଼ ସହ ଘନ କୁହୁଡି ନେଇ ରାଜ୍ୟବାସୀଙ୍କୁ କଲବଲ କରିବ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲି ଠୁ ବଢ଼ିବ ଶୀତର ମାତ୍ରା। ଅସହ୍ୟ ଜାଡ଼ ସହ ଘନ କୁହୁଡି ରାଜ୍ୟବାସୀଙ୍କୁ କଲବଲ କରିବ । ୨୮ ତାରିଖରୁ ରାଜ୍ୟରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ । ଗତ କିଛି ଦିନ ଧରି କୁହୁଡି ଚାଦରରେ ଆଚ୍ଛାଦିତ ଥିବା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜି ବି ଅଧା ଦିନ କୁହୁଡି ବଳୟରେ ରହିବ। ତେବେ ଆସନ୍ତା ୨୪ ଘଣ୍ଟା ଯାଏଁ ଏପରି ସ୍ଥିତି ଲାଗି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଗୁରୁବାର ଠାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓଡ଼ିଶାର ୮ଟି ଜିଲାକୁ ଘନ କୁହୁଡି ସତର୍କତା ଜାରି ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ଆସନ୍ତା ୨୮ ତାରିଖରୁ ଶୀତ ଲହରି ଫେରିବା ନେଇ କିଛି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏଥିପାଇଁ ୨୮ରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ୪ ଜିଲା ଝାରସୁଗୁଡା, ବରଗଡ଼, ବଲାଙ୍ଗୀର ଏବଂ ସୋନପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୯ ତାରିଖରୁ ୩୦ ତାରିଖ ସକାଳ ପର୍ଯ୍ୟନ୍ତ ୭ ଜିଲା ଝାରସୁଗୁଡା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳ, ଦେବଗଡ ଏବଂ ସୋନପୁରକୁ ପ୍ରବଳ ଶୀତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।