ଏଣିକି କୋଭିଡ୍ ମୃତକଙ୍କ ସାର୍ଟିଫିକେଟ୍ ଦାଖଲ ହେବାର ୩୦ ଦିନ ମଧ୍ୟରେ ମିଳିବ କ୍ଷତିପୂରଣ ରାଶି, ଅନୁମୋଦନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଭାରତରେ କୋଭିଡ୍-୧୯ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ୫୦,୦୦୦ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର କରିଥିବା ଯୋଜନାକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। କୋଭିଡ୍-୧୯ଜନିତ ମୃତ୍ୟୁ ପାଇଁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଗାଇଡ୍ଲାଇନ୍ ପ୍ରସ୍ତୁତି କରିବା ଲାଗି ‘ଏନ୍ଡିଏମ୍ଏ’କୁ ଦିଆଯାଇଥିବା ଅଦାଲତଙ୍କ ଆଦେଶ ପ୍ରଣୟନ କରିବା ଲାଗି ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ଯୋଜନାକୁ ଅନୁମୋଦନ କରିଛନ୍ତି।
ଆଜିର ଶୁଣାଣି ବେଳେ ବିଚାରପତି ଏମ୍ଆର୍ ଶାହା କହିଲେ, ମୃତବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ। ଏହି ଅର୍ଥରାଶି ବିଭିନ୍ନ ସହାୟତା ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଦାନ କରୁଥିବା ଅର୍ଥରାଶିରୁ ଅଧିକ ହେବ। ମୃତ୍ୟୁ ସାର୍ଟିଫିକେଟ୍ରେ ମୃତ୍ୟୁର କାରଣ କୋଭିଡ୍-୧୯ ବୋଲି ଉଲ୍ଲେଖ ନ ଥିବା ଦର୍ଶାଇ କୌଣସି ରାଜ୍ୟ ୫୦,୦୦୦ ଟଙ୍କା ଦେବାକୁ ଅଗ୍ରାହ୍ୟ କରିପାରିବେ ନାହିଁ। ମୃତ୍ୟୁର କାରଣ ସଂଶୋଧନ କରିବା ଲାଗି ଜିଲା କର୍ତ୍ତୃପକ୍ଷ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବେ। ମୁଦ୍ରିତ ଗଣମାଧ୍ୟମରେ ଜିଲ୍ଲାସ୍ତରୀୟ କମିଟିର ସବିଶେଷ ବିବରଣୀ ପ୍ରକାଶ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଉକ୍ତ ଅନୁକମ୍ପାମୂଳକ ଅର୍ଥରାଶି ‘ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ଫଣ୍ଡ୍’ରୁ ଦିଆଯିବ। ମୃତ୍ୟୁର କାରଣ କୋଭିଡ୍-୧୯ ବୋଲି ସାର୍ଟିଫିକେଟ୍ରେ ଉଲ୍ଲେଖ ଥାଇ ଦରଖାସ୍ତ ଦାଖଲ ହେବାର ୩୦ ଦିନ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।