ଆମ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ : ହବିବ ଲାୟନ୍ସ ଟିମ୍ ବିଜୟୀ
ବାଲେଶ୍ୱର : ବାଲେଶ୍ୱର ସହରର ସହଦେବଖୁଣ୍ଟା ସ୍ଥିତ ଚାନ୍ଦମାରୀପଡ଼ିଆରେ ଆମ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି । ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରି ସ୍ଥାନୀୟ କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ଆମ ପ୍ରିମିୟର ଲିଗ୍ ଆୟୋଜନ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ । ପୌର ପରିଷଦର ପୂର୍ବତନ କାଉନସିଲର ଶକ୍ୁନ୍ତଳା ସିଂ, ଛାତ୍ର ନେତା ସିମନ ଦାସ ମହାପାତ୍ର, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ଅଖିଳ କୁମାର ଦାସ, ଡମ୍ବୁରୁଧର ପ୍ରଧାନ ପ୍ରମୁଖ ଅତିଥି ଭାବେ ଉଦ୍ଘାଟନୀ ଉତ୍ସବରେ ଯୋଗଦେଇଥିଲେ ।
ଆମ ପ୍ରିମିୟର ଲିଗ୍ର ସଭାପତି ସୁଶାନ୍ତ କୁମାର ବେଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବା ବେଳେ ଏଥିରେ ମୋଟ୍ ୬ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି । ଷ୍ଟ୍ରାଇକର ଇଲେଭେନ, ସାଇ ଇଲେଭେନ, ହବିବ୍ ଲାୟନ୍ସ, ଜିକେଆର ଫାଇଟର, ଖୁସି ୱାରିୟର, ୟୁନିକ୍ ଇଲେଭେନ ଟିମ୍ଙ୍କ ମଧ୍ୟରେ ୧୫ ଓଭର ବିଶିଷ୍ଟ ମୋଟ ୨୪ ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଆସନ୍ତା ୧୫ ତାରିଖ ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉଦ୍ଘାଟନୀ ମ୍ୟାଚ ହବିବ୍ ଲାୟନ୍ସ ଓ ଷ୍ଟ୍ରାଇକର ଇଲେଭେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ହବିବ ଲାୟନ୍ସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଷ୍ଟ୍ରାଇକର ଇଲେଭେନ୍ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍ ହରାଇ ୧୧୧ ରନ ସଂଗ୍ରହ କରିଥିଲା । ଜବାବରେ ହବିବ ଲାୟନ୍ସ ୧୨.୪ ଓଭରରେ ୨ ଉଇକେଟ୍ ହରାଇ ବିଜୟୀ ହୋଇଥିଲା । ହବିବ ଲାୟନ୍ସ ଟିମ୍ର ଖେଳାଳୀ ମୁସ୍ତାକ ଅଲ୍ଲୀ ଖାନ୍ ସର୍ବାଧିକ ୭୭ ରନ୍ କରିଥିବାରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଆମ ପ୍ରିମିୟର ଲିଗ୍ର ସମ୍ପାଦକ ପରମାନନ୍ଦ ମହାପାତ୍ର, ଦେବାଶିଷ ବାରିକ, କମଳଲୋଚନା ଦାସ, ଗୋପାଳ ମାନ୍ନା, ପ୍ରିତମ ଟୁଡୁ ପ୍ରମୁଖ ସଂଗଠନର ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।