ପୋଲିସର ସହିଦ୍ ଯବାନ ପରବେଜଙ୍କୁ ଅମିତ ଶାହଙ୍କ ଶ୍ରଦ୍ଧାଞ୍ଜଳି
- ପରିବାରଙ୍କୁ ଭେଟି ପରବେଜଙ୍କ ପତ୍ନୀଙ୍କୁ ସରକାରୀ ଚାକିରୀର ପ୍ରତିଶ୍ରୁତି
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ଯେ, ଜମ୍ମୁ-କାଶ୍ମୀର ପୋଲିସର ସହିଦ୍ ଯବାନ ପରବେଜ ଅହମ୍ମଦ ଦାରଙ୍କ ଘରକୁ ଯାଇ ସେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର ଏଭଳି ସାହାସିକତା ପ୍ରଦର୍ଶନ ମୋତେ ଏବଂ ପୁରା ଦେଶକୁ ଗର୍ବିତ କରିଛି ବୋଲି ସେ କହିଛନ୍ତି । ଏଥି ସହିତ ଶ୍ରୀ ଶାହ ସହିଦ୍ ଯବାନ ପରବେଜଙ୍କ ପରିବାର ଲୋକଙ୍କୁ ଭେଟିବା ସହ ତାଙ୍କ ପତ୍ନୀକୁ ସରକାରୀ ଚାକିରୀ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଯେଉଁ ନୂତନ ଜମ୍ମୁ-କାଶ୍ମିରର ପରିକଳ୍ପନା କରିଛନ୍ତି, ତାକୁ ସାକାର କରିବା ପାଇଁ ଜମ୍ମୁ-କାଶ୍ମିର ପୋଲିସ ପୂର୍ଣ୍ଣ ପ୍ରୟାସ ଜାରୀ ରଖିଛି ବୋଲି ସେ କହିଛନ୍ତି ।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୨ ବର୍ଷ ପରେ ପ୍ରଥମଥର ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଗୋଟିଏ ପଟେ କଶ୍ମୀରରେ ଆତଙ୍କୀ ହମଲା ଚାଲିଥିବା ବେଳେ ଅନ୍ୟପଟେ ଶାହଙ୍କ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି। ଆଜି ପ୍ରଥମ ଦିନରେ ଶାହ ଆତଙ୍କୀଙ୍କ ଗୁଳିରେ ସହିଦ ହୋଇଥିବା ଜମ୍ମୁ-କଶ୍ମୀର ପୁଲିସ୍ ଇନସପେକ୍ଟର ପରବେଜ ଅହମଦ ଦାରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଜୁନ୍ ମାସରେ ୨ ଜଣ ଆତଙ୍କବାଦୀ ଦାରଙ୍କୁ ଗୁଳି କରିଥିଲେ। ଦାର ଶ୍ରୀନଗରର ମେଙ୍ଗନୱାଜି ନୱଗାମ ଠାରେ ପ୍ରାର୍ଥନା କରିବାକୁ ଯାଉଥିବା ବେଳେ ଆତଙ୍କୀ ହମଲାର ଶିକାର ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଶାହ ତାଙ୍କ ପତ୍ନୀ, ୧୩ ବର୍ଷୀୟ ଝିଅ ଓ ୧୦ ବର୍ଷର ପୁଅଙ୍କୁ ଶ୍ରୀନଗରରେ ଭେଟିଛନ୍ତି। ଏହି ସମୟରେ ପରବେଜଙ୍କ ପତ୍ନୀଙ୍କୁ ସରକାରୀ ଚାକିରୀ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀ ଶାହ ଭେଟଘାଟ ବେଳର ଫଟୋ ଟ୍ୱିଟ କରି କହିଛନ୍ତି, “ଜମ୍ମୁ-କଶ୍ମୀର ପୁଲିସ୍ର ସହିଦ ଯବାନ ପରବେଜ ଅହମଦ ଦାରଙ୍କ ଘରକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି। ସହିଦ ପରବେଜଙ୍କ ଘରେ ପ୍ରାୟ ୨୦ ମିନିଟ ରହିବା ପରେ ଶ୍ରୀ ଶାହ ସିଧା ରାଜଭବନରେ ପହଞ୍ଚିଥିଲେ। ପରିବାର ଲୋକଙ୍କୁ ଭେଟିବା ବେଳେ ଶାହଙ୍କ ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ରହିଥିଲେ। ସେଠାରୁ ବାହାରି ଶ୍ରୀ ଶାହ ୧୧.୫୫ରେ ରାଜଭବନରେ ପହଞ୍ଚିବା ପରେ ୧୨.୩୦ରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଜମ୍ମୁ-କଶ୍ମୀରର ସୁରକ୍ଷା ବ୍ୟବସ୍ଥାର ସେ ସମୀକ୍ଷା କରିବା ସହ ପରିବର୍ତ୍ତୀ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।