ଛତିଶଗଡ଼ରେ ଡବଲ ଇଂଜିନ ସରକାର ଗଠନ କରିବାକୁ ଆହ୍ୱାନ କଲେ ଶାହା
ରାୟପୁର: ଛତିଶଗଡ଼ର କୋରବାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେଇ ୨୦୨୪ରେ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ୨୦୨୩ ମସିହାରେ ଛତିଶଗଡରେ ବିଜେପି ସରକାର ଗଠନ କରିବାକୁ ପଡ଼ିବ । ଛତିଶଗଡ଼ରେ ଏକ ଡବଲ ଇଂଜିନ ସରକାର ଗଠନ ବିଷୟରେ ଗୃହମନ୍ତ୍ରୀ କହିଥିଲେ ।
ଅମିତ ଶାହା ଶନିବାର କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଥିଲେ । ସେ କହିଛନ୍ତି ଯେ ଛତିଶଗଡକୁ ଦାରିଦ୍ର୍ୟ, କ୍ଷୁଧା, ଖରାପ ରାସ୍ତା, ଅନ୍ଧକାର, ବେକାରୀ ଏବଂ ନକ୍ସଲବାଦ ଦେବା ଭଳି କାମ କଂଗ୍ରେସ କରିଛି । ଅମିତ ଶାହା କହିଛନ୍ତି ଯେ ନକ୍ସଲ ପ୍ରଭାବିତ ଅଂଚଳ ନକ୍ସଲବାଦରୁ ମୁକ୍ତି ପାଇବାରେ ଲାଗିଛି । ୨୦୦୯ରେ, ସାରା ଦେଶରେ ୨୨୫୮ ନକ୍ସଲ ଘଟଣା ଘଟିଥିଲା । ୨୦୨୧ରେ, ଏହା ୫୦୯ କୁ ହ୍ରାସ ପାଇଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମଗ୍ର ଦେଶକୁ ନକ୍ସଲବାଦର କବଳରୁ ମୁକ୍ତ କରିବା ଆମର ପ୍ରୟାସ ହେବ । ଅସ୍ତ୍ରଶସ୍ତ୍ର ବଦଳରେ ଯୁବକମାନଙ୍କୁ ରୋଜଗାର ଦିଆଯାଇଥିବାବେଳେ ସେମାନଙ୍କ ଅଂଚଳରେ ଟେଲିଫୋନ୍ ଟାୱାର ସ୍ଥାପନ କରାଯାଇଥିଲା । ଅମିତ ଶାହା କହିଛନ୍ତି ଯେ ଛତିଶଗଡ ଧାନ ଏବଂ ଖଣିଜ ପଦାର୍ଥର ଏକ ଗନ୍ତାଘର ହୋଇଥିବାବେଳେ ଏହାର ବିକାଶ ବୃଦ୍ଧି କରିବାକୁ ହେଲେ ଦୁଇଟି ଇଞ୍ଜିନ ସ୍ଥାପନ କରିବାକୁ ପଡିବ । ଆପଣ ଦିଲ୍ଲୀରେ ମୋଦୀଙ୍କ ରୂପରେ ଗୋଟିଏ ଇଞ୍ଜିନ ଲଗାଇଛନ୍ତି, ଏବେ ବିଜେପି ସରକାର ଗଠନ କରି ଛତିଶଗଡରେ ଆଉ ଏକ ଇଞ୍ଜିନ ଲଗାନ୍ତୁ ।