ପାକିସ୍ତାନକୁ ଆର୍ଥିକ ସହାୟତା ଦେବ ଆମେରିକା, ମିଳିବ ୮୨ ମିଲିୟନ ଡଲାର ଋଣ
ନୂଆଦିଲ୍ଲୀ : ଅର୍ଥନୈତିକ ସଙ୍କଟ ଭିତରେ ଗତି କରୁଛି ପାକିସ୍ତାନ । ଯେତେ ଚେଷ୍ଟା କଲେବି ସୁଧାର ଆସୁନି । ସହଯୋଗୀ ଦେଶଗୁଡିକରୁ ନିରାଶ ହେବା ପରେ ପାକିସ୍ତାନ ଏବେ ଆମେରିକାର ଶରଣାପନ୍ନ ହୋଇଛି । ପାକିସ୍ତାନର ଅର୍ଥନୈତିକ ଅଭିବୃଦ୍ଧି ସହ ମହିଳା ସଶକ୍ତିକରଣକୁ ସହାୟତା କରିବାକୁ ଆମେରିକା ପ୍ରସ୍ତାବ ଦେଇଛି । ବିଶ୍ୱ ବ୍ୟାଙ୍କର ୬.୫ ବିଲିୟନ ଡଲାର ଋଣର ୧.୧ ବିଲିୟନ ଡଲାର ଋଣ ପାଇବାକୁ ପାକିସ୍ତାନ ଚେଷ୍ଟା କରୁଛି। କିନ୍ତୁ ସ୍ଥିର କରାଯାଇଥିବା ସର୍ତ୍ତ ପୂରଣ କରିବା ପାଇଁ ପାକିସ୍ତାନ ସଂଘର୍ଷ କରୁଛି। ୨୦୨୪ ଆର୍ଥିକ ବର୍ଷରେ ପାକିସ୍ତାନକୁ ୮୨ ମିଲିୟନ ଡଲାର ଋଣ ଦିଆଯିବ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ପ୍ରସ୍ତାବ ଦେଇଛନ୍ତି । ଏକ ଦଶନ୍ଧି ମଧ୍ୟରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛି । ଶୁକ୍ରବାର ଆମେରିକା ବୈଦେଶିକ ବିଭାଗ କହିଛି ପାକିସ୍ତାନକୁ ସହାୟତା ଦେଲେ ଘରୋଇ କ୍ଷେତ୍ରର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।
୨୦୨୪ ପାଇଁ ପାକିସ୍ତାନକୁ ଅତିରିକ୍ତ ସହାୟତା ଯୋଗାଇଦେବା ସମ୍ପର୍କରେ ଆମେରିକାର ବୈଦେଶିକ ବିଭାଗର ବଜେଟ୍ ପ୍ରସ୍ତାବରେ ରହିଛି । ଯାହା ଆସନ୍ତା ଅକ୍ଟୋବରରେ ପାକିସ୍ତାନକୁ ଦିଆଯିବ । ଏହାପୂର୍ବରୁ, ଆମେରିକା ୨୦୨୨ ରେ ୩୯ ମିଲିୟନ ଡଲାରର ସହାୟତା ପାକିସ୍ତାନକୁ ଦେଇଥିଲା । ନିଜର ଅସୁସ୍ଥ ଅର୍ଥନୀତି ତଥା ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆଇଏମଏଫ ସହିତ କାର୍ୟ୍ୟ ଜାରି ରଖିବାକୁ ଆମେରିକା ପାକିସ୍ତାନକୁ ପରାମର୍ଶ ଦେଇଛି । ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ପାକିସ୍ତାନୀ ସହଭାଗୀମାନଙ୍କ ସହ ଆମେରିକା କାର୍ୟ୍ୟ କରୁଛି । ଏହା ବଦଳରେ ଆମେରିକା ପାକିସ୍ତାନକୁ ଆର୍ଥୀକ ସହାୟତା ଯୋଗାଇ ଦେଉଛି । ଆନ୍ତର୍ଜାତୀୟ ନିଶା ନିବାରଣ ଆଇନ ପ୍ରଣୟନ ପାଇଁ ପାକିସ୍ତାନକୁ ୧୭ ମିଲିୟନ ଡଲାର, ଆନ୍ତର୍ଜାତୀୟ ସାମରିକ ଶିକ୍ଷା ତଥା ତାଲିମ ପାଇଁ ଆଉ ୩.୫ ମିଲିୟନ ଡଲାର ଦିଆଯିବାକୁ ପ୍ରସ୍ତାବ ଦିଆଯାଇଛି । ସେହପରି ଆମେରିକାର ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ପାଇଁ ପାକିସ୍ତାନକୁ ୩୨ ମିଲିୟନ ଡଲାର ଦେବା ପାଇଁ ପ୍ରସ୍ତାବରେ ରହିଛି ବୋଲି ଆମେରିକା ବୈଦେଶିକ ବିଭାଗ କହିଛି।