ନିୟମରେ ସଂଶୋଧନ : ଏଣିକି ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିପାରିବେ ପ୍ରାର୍ଥୀ
ନୂଆଦିଲ୍ଲୀ : ଚଳିତ ବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ନିର୍ବାଚନୀ ଖର୍ଚ୍ଚ ସୀମାରେ ସଂଶୋଧନ ଆଣିଛନ୍ତି ନିର୍ବାଚନ କମିଶନ । ଏଣିକି ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିପାରିବେ ପ୍ରାର୍ଥୀ । ଉଭୟ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଏହି ସଂଶୋଧିତ ନିୟମାବଳୀ ଲାଗୁ ହେବ । ଉଭୟ ପ୍ରାର୍ଥୀମାନଙ୍କ ପାଇଁ ସଂଶୋଧିତ ନିର୍ବାଚନ ଖର୍ଚ୍ଚ ସୀମା ଘୋଷଣା କରିଛି ଭାରତର ନିର୍ବାଚନ ଆୟୋଗ ।
ସଂଶୋଧିତ ନିୟମାବଳୀ ଅନୁସାରେ, ପୂର୍ବରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ରାଜ୍ୟଗୁଡିକରେ ୨୮ ଲକ୍ଷ ଖର୍ଚ୍ଚ କରୁଥିବା ବେଳେ ବର୍ତ୍ତମାନ ସର୍ବାଧିକ ୪୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ସେହିପରି କେନ୍ଦ୍ର ଶାସିତ ଅଞ୍ଚଳର ବିଧାୟକ ପ୍ରାର୍ଥୀମାନେ ୨୦ ଲକ୍ଷ ପର୍ଯ୍ୟନ୍ତ ସର୍ବାଧିକ ଖର୍ଚ୍ଚ କରୁଥିବା ବେଳେ ବର୍ତ୍ତମାନ ୨୮ ଲକ୍ଷ ଖର୍ଚ୍ଚ କରିପାରିବେ । ସେହିପରି ସାଧାରଣ ନିର୍ବାଚନରେ ମଧ୍ୟ ରାଜ୍ୟମାନଙ୍କରେ ସାଂସଦ ପ୍ରାର୍ଥୀମାନେ ପୂର୍ବରୁ ୭୦ ଲକ୍ଷ ଖର୍ଚ୍ଚ କରୁଥିବା ବେଳେ ଏବେ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳର ସାଂସଦ ପ୍ରାର୍ଥୀମାନେ ୫୪ ଲକ୍ଷରୁୁ ୭୫ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବା ନେଇ ନୂଆ ନିର୍ଦ୍ଦେଶାବଳୀରେ କୁହାଯାଇଛି । ତେବେ ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଚଳିତ ବର୍ଷର ନିର୍ବାଚନ ଠାରୁ ଲାଗୁ ହେବାକୁ ଯାଉଛି । ଚଳିତବର୍ଷ ଉତ୍ତର ପ୍ରଦେଶ ସମେତ ମୋଟ ୫ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜନୈତିକ ଦଳମାନେ ନିର୍ବାଚନୀ ମୈଦାନ ସଜାଡିବାରେ ଲାଗି ପଡିଲେଣି ।