ନବବଧୂକୁ ବିଷ ପିଆଇ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନସ୍ଥ ସନ୍ତରାଗଡ଼ିଆ ଅଞ୍ଚଳର ନବବଧୂକୁ ବିଷ ପିଆଇ ହତ୍ୟା ଅଭିଯୋଗ । ଏନେଇ ମହିଳାଙ୍କୁ ସ୍ୱାମୀଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
ସୂଚନା ଯେ, ବାଲେଶ୍ୱର ଜିଲା ସଦରଥାନା ଅଧୀନ ବାଙ୍ଗରା ଗ୍ରାମର ତ୍ରୈଲୋକ୍ୟ ପାତ୍ରଙ୍କ ଝିଅ ଗାୟତ୍ରୀକୁ ନୀଳଗିରି ଥାନା ଅଧୀନସ୍ଥ ସନ୍ତରାଗଡ଼ିଆ ଅଞ୍ଚଳର ପ୍ରେମାନନ୍ଦ ମହାନ୍ତିଙ୍କ ପୁତ୍ର ପ୍ରତ୍ୟୁଷ ବୈଦୀକ ରୀତିରେ ଗତ ୨୦୨୧ ଫେବୃୟାରୀ ୨୧ ରେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯାନିଯୌତୁକ ପ୍ରଦାନ କରାଯାଇଥିଲା । ବିବାହର କିଛି ଦିନ ସୁରୁଖୁରୁରେ ଚାଲିବା ପରେ ଅଧିକ ଯୌତୁକକୁ ନେଇ ଆରମ୍ଭ ହୋଇଥିଲା ନିର୍ଯାତନା । ଗତ ଅକ୍ଟୋବର ୭ ତାରିଖ ଦିନ ହଠାତ୍ ଗାୟତ୍ରୀଙ୍କ ଶ୍ୱଶୁର ତାଙ୍କ ଭାଇକୁ ଫୋନ୍ ମାଧ୍ୟମରେ ତାଙ୍କର ଦେହ ଖରାପ ଥିବାର ଜଣାଇଥିଲେ । ଖବରପାଇ ପରିବାର ଲୋକେ ନୀଳଗିରି ଡାକ୍ତରଖାନାରେ ପହଞ୍ଚିଥିଲେ । ଶ୍ୱଶୁର ଘର ପକ୍ଷରୁ ଡାକ୍ତରଖାନାରେ ଗାୟତ୍ରୀଙ୍କ ନାମ ପରିବର୍ତ୍ତନ କରାଯାଇ ଶ୍ରଦ୍ଧାଞ୍ଜଳି ପାତ୍ର ନାମରେ ଭର୍ତ୍ତି କରାଯାଇଥିବାର ପରିବାର ଲୋକେ ଜାଣିଥିଲେ । ସେଠାରେ ଗାୟତ୍ରୀର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର, ପରେ କଟକ ଓ ଶେଷରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଭଲ ହେବାରୁ ଗତ ୧୬ ତାରିଖରେ ଗାୟତ୍ରୀକୁ ବାପ ଘର ଲୋକେ ଘରକୁ ଆଣିଥିଲେ । ସେଠାରେ ବାପଘର ଲୋକଙ୍କୁ ଗାୟତ୍ରୀ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ନେଇ କହିଥିଲେ । ତାଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁ, ନଣନ୍ଦ ୪ଜଣ ମିଶି ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରି ଜୋର ଜବରଦସ୍ତ ବିଷ ପିଆଇ ଦେଇଥିବାର କହିଥିଲେ । ଏଥିସହିତ ତାଙ୍କ ସ୍ୱାମୀ ପ୍ରତ୍ୟୁଷ ଅନ୍ୟ ଏକ ଝିଅକୁ ଭଲ ପାଉଥିବାର ମଧ୍ୟ କହିଥିଲେ । ଏହି ସମସ୍ତ ଘଟଣାର ଭିଡିଓ ଫୁଟେଜ ବାପ ଘର ଲୋକ କରିନେଇଥିଲେ । ପରେ ଶୁକ୍ରବାର ଗାୟତ୍ରୀ ସ୍ୱାସ୍ଥ୍ୟାଅବସ୍ଥା ପୁଣି ସଙ୍କଟାପନ୍ନ ହେବାରୁ ବାପ ଘର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏନେଇ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ବାବୁ ଅଭିଯୋଗକୁ ନ ରଖି ନୀଳଗିରି ଥାନାରେ ଅଭିଯୋଗ କରିବାକୁ କହିଥିଲେ । ଏହାପରେ ଘଟଣାକୁ ନେଇ ନୀଳଗିରି ଥାନାରେ ଗାୟତ୍ରୀଙ୍କ ବାପା ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା (ନଂ. ୨୮୪/୨୧) ରୁଜୁ କରାଯାଇଥିଲା । ଶୁକ୍ରବାର ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ଗାୟତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏନେଇ ନୀଳଗିରି ଥାନାର ଭାରପ୍ରାପ୍ତ ଥାନାଧିକାରୀ ବାସୁଦେବ ଜୟସିଂହ ଶୁକ୍ରବାର ସ୍ୱାମୀ ପ୍ରତ୍ୟୁଷକୁ ଗିରଫ କରିଥିବା ସୂଚନା ମିଳିଛି ।