ବସ୍ତା ବ୍ଲକରେ ଆବାସ ଯୋଜନାରେ ମହାଦୁର୍ନୀତି ଅଭିଯୋଗ, ଜୁଲାଇ ୧୦ରେ କଂଗ୍ରେସର ବ୍ଲକ ଘେରାଓ
ବସ୍ତା : ବାଲେଶ୍ୱର ଜିଲାର ବସ୍ତା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସହ ମହା ଦୁର୍ନୀତି ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଆସନ୍ତା ଜୁଲାଇ ୯ ତାରିଖ ସୁଦ୍ଧା ଆବାସ ତାଲିକାର ସଂଶୋଧନ ପୂର୍ବକ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରାନଗଲେ ୧୦ ତାରିଖରେ ବ୍ଲକ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ କଂଗ୍ରେସ ପ୍ରବକ୍ତା ବରିଷ୍ଠ ନେତା ସୁଦର୍ଶନ ଦାସ କହିଛନ୍ତି ।
ଅଭିଯୋଗ ମୁତାବକ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବଡ଼ ବଡ଼ କୋଠାଘର ଥିବା ଲୋକ ଏବଂ ଧନୀ ଶ୍ରେଣୀର ଲୋକଙ୍କ ନାମରେ ଆବକ୍ଷସ ଯୋଜନାର ତାଲିକା ରହିଛି । ଏମିତିକି ବିନା ୱାର୍କ ଅର୍ଡ଼ରରେ ସେମାନଙ୍କ ଖାତାକୁ ଆବାସ ଗୃହ ନିର୍ମାଣ ପାଇଁ ଅର୍ଥ ପଠାଯାଇଛି । ଅନ୍ୟ ପଟେ ଅନେକ ଗରିବ ଯୋଗ୍ୟ ହିତାଧିକାରୀ ରହିଥିଲେ ମଧ୍ୟ ତାଙ୍କ ନାମ ତାଲିକାରେ ନାହିଁ । ପଞ୍ଚାୟତ ଅଫିସ୍ରେ ଟଙ୍ଗା ଯାଇଥବା ଆବାସ ତାଲିକାରେ ପୂର୍ବରୁ ରହିଥିବା ନାମ ବର୍ତ୍ତମାନ ତାଲିକାରେ ନଥିବା ଅଭିଯୋଗ ହୋଇଛି । ଯଦି ଆସନ୍ତା ଜୁଲାଇ ୯ ତାରିଖ ସୁଦ୍ଧା ଏହାର ସଂଶୋଧନ ନହୁଏ ତାହାହେଲେ ଜୁନ ୧୦ ତାରିଖରେ ବ୍ଲକ କାର୍ଯ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ସହିତ ଧାରଣା ଦିଆଯିବ ବୋଲି ବସ୍ତା ବ୍ଲକ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୁଚନା ଦିଆଯାଇଛି । ଏହି ସମ୍ମିଳନୀରେ ବ୍ଲକ ସଭାପତି ସତ୍ୟନାରାୟଣ ଗୁପ୍ତା, ବରିଷ୍ଠ ନେତା ରବିନ୍ଦ୍ର ଦାସ, ମନୋଜ ମହାନ୍ତି, ମହିଳା ନେତ୍ରୀ ସୁକାନ୍ତି ଭକ୍ତା, ଅରୁଣ ମଣ୍ଡଳ, କାର୍ତ୍ତିକ ପାତ୍ର, ସଜୀବ ମହାନ୍ତି, ଗୌରୀଶଙ୍କର ଜେନାଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।