ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଥାନାରେ ମାମଲା ରୁଜୁ
- ପ୍ରଥମ ବର୍ଷ ଛାତ୍ରଙ୍କ ନିଶଦାଢି କାଟି ଦେଲେ ଦ୍ୱିତୀୟ ବର୍ଷ ଛାତ୍ର
ପୁରୀ : ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷର ଛାତ୍ର ମାନେ ପ୍ରଥମ ବର୍ଷର ଜଣେ ଛାତ୍ରର ନିଶଦାଢି କାଟି ରାଗିଂ କରିଥିବା ଅଭିଯୋଗ ହୋଇଛି । ପ୍ରଥମ ବର୍ଷର ଛାତ୍ର କଲେଜର ଡିନଙ୍କୁ ଅଭିଯୋଗ ଦେବା ପରେ ଆଣ୍ଟି ରାଗିଂ କମିଟିରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ମେରାଇନ ଥାନାରେ ଅଭିଯୋଗ କରାଯାଇଛି । ରାଗିଂର ଶିକାର ହୋଇଥିବା ପ୍ରଥମ ବର୍ଷର ଛାତ୍ର ଜଣଙ୍କ ଅଭିଯୋଗକୁ ଆଧାର କରି ପେଣ୍ଠକଟା ମେରାଇନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ସୂଚନା ଯେ, ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ରଙ୍କ ନିଶଦାଢି କାଟି ଦେଇଛନ୍ତି ଦ୍ୱିତୀୟ ବର୍ଷ ଛାତ୍ର । ଏମିତିକି ପରେ ତାଙ୍କୁ ଚଟାଣରେ ବସାଇ ଗଳା ଚିପି ଦାଢି କାଟି ଦେଇଥିଲେ । ଏନେଇ ପେଣ୍ଠକଟା ମେରାଇନ ଥାନାରେ ଏତଲା ଦେଇଛନ୍ତି କଲେଜ ଡିନ୍ । ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏନେଇ ୩ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପରୀକ୍ଷା ଚାଲିଥିବା ବେଳେ ସେ ଏପରି ଘଟଣା ପାଇଁ ଶାରୀରିକ ଓ ମାନସିକ ଭାବେ ପ୍ରଭାବିତ ହୋଇଥିବା ଅଭିଯୋଗ କରିଥିଲେ । ଆଣ୍ଟି ରାଗିଂ କମିଟି ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ୩ ଜଣ ସିନିଅରଙ୍କୁ ଛାତ୍ର ସଂସଦ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।