ଲର୍ଡସ୍ ଟେଷ୍ଟରୁ ବାଦ ପଡ଼ିଲେ ଅଲରାଉଣ୍ଡର ଶାର୍ଦ୍ଦୁଲ
ଲଣ୍ଡନ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଦ୍ଵିତୀୟ ମ୍ୟାଚ୍ ଗୁରୁବାର ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ ।ମ୍ୟାଚ୍ ଆରମ୍ଭ ପୂର୍ବରୁ ବୁଧବାର ଭାରତୀୟ ଟିମ୍ର ଅଧିନାୟକ ବିରାଟ କୋହଲି ପ୍ରେସମିଟ କରିଛନ୍ତି । ଏଥିରେ ଦ୍ଵିତୀୟ ଟେଷ୍ଟରୁ ଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ବାଦ ପଡ଼ିଥିବା ନେଇ ସ୍ପଷ୍ଟ କରିଛନ୍ତି । ଫଳରେ ଲର୍ଡସ୍ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା ଲାଗିଛି ।ମିଡିୟମ୍ ପେସର ଶାର୍ଦ୍ଦୁଲ ଠାକୁରଙ୍କ ହ୍ୟାମଷ୍ଟ୍ରିଙ୍ଗରେ ଆଘାତ ଲାଗିବା ଯୋଗୁଁ ସେ ଦ୍ବିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି । ଏହା ପୂର୍ବରୁ ନର୍ଟିଂହାମ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଠାକୁର ୪ ଓ୍ବିକେଟ ନେଇଥିଲେ। ପ୍ରଥମ ପାଳିରେ ସେ ଇଂଲଣ୍ଡର ଅଧିନାୟକ ଜୋ ରୁଟଙ୍କ ଓ୍ବିକେଟ ନେଇଥିଲେ।
ବୁଧବାର ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଶାର୍ଦ୍ଦୁଲ ଠାକୁର ବାମ ଗୋଡ଼ର ମାଂସପେଶୀରେ କଷ୍ଟ ଅନୁଭବ କରୁଥିବାରୁ ସେ ଦ୍ବିତୀୟ ଟେଷ୍ଟ ଖେଳିପାରିବେ ନାହିଁ। କିନ୍ତୁ ତୃତୀୟ ଟେଷ୍ଟ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିବେ।’ ତେବେ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଇଶାନ୍ତ ଶର୍ମା କିମ୍ବା ଉମେଶ ଯାଦବଙ୍କୁ ଲର୍ଡସ୍ ଟେଷ୍ଟରେ ସୁଯୋଗ ମିଳିପାରେ। ସେହିପରି ଭଲ କଥା ହେଉଛି ପ୍ରଥମ ମ୍ୟାଚ୍ରେ ଜାଡେଜା ଭଲ ରନ୍ କରିଥିଲେ ତେଣୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ସେ ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇବେ। ଶାର୍ଦ୍ଦୁଲଙ୍କ ଠାରେ ଭଲ ବ୍ୟାଟିଂ କ୍ଷମତା ରହିଛି। ବ୍ୟାଟିଂ କ୍ଷେତ୍ରରେ ଆମେ ଭଲ ସ୍ଥିତିରେ ଅଛୁ। ପୂଜାରା, ରାହାଣେ ଏବଂ ମୁଁ ଅଧିକ ରନ୍ କରିପାରିଲୁ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।