ସର୍ବଦଳୀୟ ବୈଠକ ଆରମ୍ଭ, ବୟକଟ କଲା ବିଜେପି
ଭୁବନେଶ୍ୱର : ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ଆଜି ବିଧାନସଭା ପରିସରରେ ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବୈଠକ । ବିଧାନସଭା କିପରି ସୁରୁଖୁରୁରେ ଚାଲିବ ସେ ନେଇ ଆଲୋଚନା ହୋଇଛି । ବୈଠକ ଆରମ୍ଭରୁ ବୟକଟ କରିଛି ବିଜେପି । ସର୍ବଦଳୀୟ ବୈଠକ ଆରମ୍ଭରୁ ଉଠିଯାଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।
ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତାର ହକ ଦିଆଯାଉ ନଥିବା ଅଭିଯୋଗ ଆଣିଲେ ବିଷ୍ଣୁ ସେଠୀ । ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପ ନେତା ଉପସ୍ଥିତ ରହୁଥିଲେ । କିନ୍ତୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କାରଣରୁ ବିରୋଧୀ ଦଳ ଉପନେତା ଉପସ୍ଥିତ ରହି ପାରିବେ ବୋଲି କୁହାଯାଇଛି । ଏହା ବାଦ୍ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବୈଠକରେ ସାମିଲ କରିବାକୁ ଦାବି କରିଥିଲା ବିଜେପି । ଗତ ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିବା ସତେ ଏଥର ଏହାକୁ ବାଚସ୍ପତି ଆଗ୍ରହ୍ୟ କରି ଦେବାରୁ ବୈଠକକୁ ବୟକଟ କରିଛି ଦଳ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମାଲିକ ଅନ୍ୟତମ ସଦସ୍ୟ ଦେବୀ ପ୍ରସାଦ ମିଶ୍ର ବୈଠକରେ ଉପସ୍ଥିତ ହୋଇଥିଲେ । ବିଧାନସଭା କିପରି ସୁରୁଖୁରୁରେ ଚାଲିବ ସେ ନେଇ ଆଲୋଚନା ଆରମ୍ଭ ହେବା କ୍ଷଣି ବନ୍ଦ ହୋଇଥିଲା ।