ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ, ଜାଣନ୍ତୁ କେଉଁ ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା?
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିକଟ ଅତୀତରେ ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆସନ ଘୋଷଣା କରିଥିଲା । ଗୋରଖପୁର ଆସନରୁ ସିଏମ୍ ଯୋଗୀ ନିର୍ବାଚନ ଲଢ଼ିବେ । ଯାହା ପରେ ଲଗାତର ଚର୍ଚ୍ଚା ହେଉଥିଲା ଯେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ନିର୍ବାଚନ ଲଢ଼ିବେ । ବର୍ତ୍ତମାନ ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ଯେ, ସେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛି । ଏସପି ମୁଖିଆ ତଥା ଆଜମଗଡ (ୟୁପି) ସାଂସଦ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଖବର ସବରାହ ସଂସ୍ଥା ଏଏନଆଇ ସୂତ୍ରରୁ ସୂଚନା ମିଳିଛି ।
ଏସପି ମୁଖ୍ୟ ଅଖିଳେଶ ଯାଦବ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ସେ କେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । କିନ୍ତୁ ଚର୍ଚ୍ଚା ହେଉଛି ଯେ ଅଖିଳେଶ ଯାଦବ ତୃତୀୟ ବା ଚତୁର୍ଥ ପର୍ଯ୍ୟାୟରେ ପୂର୍ବାଞ୍ଚଳ କିମ୍ବା ସେଣ୍ଟ୍ରାଲ ୟୁପିର ଯେକୌଣସି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ସେହିପରି ଅଖିଳେଶ ଯାଦବ ବର୍ତ୍ତମାନ ଆଜମଗଡ ଆସନରୁ ସାଂସଦ ଅଛନ୍ତି । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ସେ କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ ଓ ଲୋକସଭାରେ ପହଞ୍ଚିଥିଲେ । ଏହା ପରେ ୨୦୦୪ ଓ ୨୦୦୯ର ସାଧାରଣ ନିର୍ବାଚନରେ ସେ କନ୍ନୌଜରୁ ଜିତି ଲୋକସଭାରେ ପହଞ୍ଚିଥିଲେ । ୨୦୧୨ ମସିହାରେ ଅଖିଳେଶ ଯାଦବ ୟୁପିର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ ତାଙ୍କୁ କନ୍ନୌଜ ଲୋକସଭା ଆସନରୁ ଇସ୍ତଫା ଦେବାକୁ ପଡିଲା । ଏହା ପରେ ସେ ବିଧାନସଭା ସଦସ୍ୟ ହୋଇଥିଲେ ।
ସୂଚନା ଯେ, ୟୁପି ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲା । ୟୁପିରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ, ଏହି ଦିନ ପଞ୍ଜାବରେ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ।