ଆଜି ପ୍ରଥମ ଉଡ଼ାଣ କରିବ ଆକାଶ ଏୟାରର ବିମାନ; ମୁମ୍ବାଇ-ଅହମଦାବାଦ ଅଭିମୁଖେ କରିବ ଯାତ୍ରା
ନୂଆଦିଲ୍ଲୀ : ଆଜି ଆକାଶ ଏୟାର ପ୍ରଥମ ଥର ପାଇଁ ନିଜର ବିମାନ ଉଡ଼ାଣ କାର୍ଯ୍ୟ ଆରମ୍ଭ କରିବ । ଏହି କମ୍ପାନିର ପ୍ରଥମ ବିମାନ ରବିବାର ସକାଳ ୧୦ଟା ୫ରେ ମୁମ୍ବାଇ-ଅହମଦାବାଦ ଅଭିମୁଖେ ଯାତ୍ରା କରିବ । ଏନେଇ କମ୍ପାନି ବିମାନ ନମ୍ବର କ୍ୟୁପି୧୧୦୧ ସହିତ ବୋଇଙ୍ଗ ୭୩୭ମ୍ୟାକ୍ସ ବିମାନ ବ୍ୟବହାର କରିବ । କମ୍ପାନିକୁ ଜୁଲାଇ ୭ରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ଠାରୁ ଏୟାର ଅପରେଟର ସାର୍ଟିଫିକେଟ୍ ମିଳିଥିଲା ।
ଏହାପରେ ଜଣାଶୁଣା ଶିଳ୍ପପତି ରାକେଶ ଝୁନଝୁନୱାଲାଙ୍କ ଦ୍ୱାରା ପ୍ରତିଷ୍ଠିତ ବିମାନ ସଂସ୍ଥା ଆକାଶ ଏୟାର ଜୁଲାଇ ୨୨ରେ ବୁକିଂ ଆରମ୍ଭ କରିଥିଲା ।କମ୍ପାନି ଘୋଷଣା କରିଥିଲା ଯେ, ଅଗଷ୍ଟ ୭ତାରିଖରୁ ଏହାର ବିମାନ ପ୍ରଥମ ବ୍ୟବସାୟିକ ଉଡ଼ାଣ କରିବ । ଆକାଶ ଏୟାର ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ବ୍ୟବହାର କରି ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ପ୍ରଥମ ସେବା ପ୍ରଦାନ କରିବ । ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ଅଗଷ୍ଟ ୭ ତାରିଖରୁ ସାପ୍ତାହିକ ଭିତିରେ ଉଡାଣ ସେବା ଜାରି ରହିବ । ଏଥିସହିତ, ଅଗଷ୍ଟ ୧୩ରୁ ବାଙ୍ଗାଲୋର-କୋଚି ମାର୍ଗରେ ଆକାଶ ଏୟାରର ବିମାନ ଚଳାଚଳ କରିବ । ଆକାଶ ଏୟାରର ମୁଖ୍ୟ ବାଣିଜ୍ୟିକ ଅଧିକାରୀ କହିଥିଲେ ଯେ, ପ୍ରଥମେ ମୁମ୍ବାଇ ଏବଂ ଅହମଦାବାଦ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରାଯିବ । ନେଟୱାର୍କ ବିସ୍ତାର ଯୋଜନା ଅଧୀନରେ ଦେଶର ବଡ଼ ସହରଗୁଡ଼ିକୁ ପର୍ଯ୍ୟାୟକ୍ରମେ ସଂଯୋଗ କରାଯିବ ।
ସୂଚନା ମୁତାବକ, ଗତ ବର୍ଷ ନଭେମ୍ବରରେ ଆକାଶ ଏୟାର ବୋଇଙ୍ଗ ସହିତ ୭୨ ମ୍ୟାକ୍ସ ବିମାନ କିଣିବା ପାଇଁ ଚୁକ୍ତି କରିଥିଲା । ଏଥିପାଇଁ କମ୍ପାନୀ ଅଗଷ୍ଟ ମାସରେ ଡିଜିସିଏରୁ ଅନୁମୋଦନ ନେଇଥିଲା । ଏହାର ହୋଲଡିଂ କମ୍ପାନୀ ହେଉଛି ଏସଏନଭି । ବରିଷ୍ଠ ନିବେଶକ ରାକେଶ ଝୁନଝୁନୱାଲା ଏବଂ ଜେଟ ଏୟାରୱେଜର ପୂର୍ବତନ ସିଇଓ ବିନୟ ଦୁବେଙ୍କ ଦ୍ୱାରା ଆକାଶ ଏୟାର ପରିଚାଳିତ ହୋଇଛି ।