ଦିଲ୍ଲୀରେ ସଂଘାତିକ୍ ସ୍ଥିତିରେ ବାୟୁ ପ୍ରଦୂଷଣ, ୧୮ ଯାଏଁ ସ୍କୁଲ ଛୁଟି ଘୋଷଣା
ନୂଆଦିଲ୍ଲୀ : ଦିଲ୍ଲୀରେ ସଂଘାତିକ୍ ସ୍ଥିତିରେ ବାୟୁ ପ୍ରଦୂଷଣ । କ୍ରମାଗତ ଛଅଦିନ ହେଲା ବିଷାକ୍ତ ଧୂଆଁର ଚାଦରରେ ଘୋଡ଼େଇ ହୋଇରହିଛି ରାଜଧାନୀ । ବିଶେଷଜ୍ଞଙ୍କ ମତରେ ଦିନକୁ ୧୦ଟି ସିଗାରେଟ୍ ଟାଣିଲେ ଯେତିକି ଅଙ୍ଗାରକାମ୍ଳ ଦେହକୁ ଯିବ, ଦିଲ୍ଲୀରେ ଗୋଟିଏ ଦିନ ନିଶ୍ବାସ ନେବା ସହିତ ସାମାନ । ଦିଲ୍ଲୀ ଓ ଏନସିଆର୍ ଅଞ୍ଚଳରେ ଘରୁ ବାହାରିଲେ ଆଖିରେ ଜ୍ବାଳା ଅନୁଭୂତ ହେଉଛି ଲୋକେ କହିଛନ୍ତି । ଦିଲ୍ଲୀରେ ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ। ଏହାକୁ ଦୃଷ୍ଟରେ ରଖି ଆଗୁଆ ଶୀତ ଛୁଟି ଘୋଷଣା ହୋଇଛି । ୯ ତାରିଖରେ ୧୮ ତାରଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ବନ୍ଦ ରହିବ । ଏନେଇ ବୁଧବାର ଏହି ନିର୍ଦ୍ଦେଶ ଜାରି କରିଛି ଦିଲ୍ଲୀ ଶିକ୍ଷା ବିଭାଗ ।
ଶୀତ ଆସିଲେ ଦିଲ୍ଲୀରେ ଯେଉଁ ପରିସ୍ଥିତିକୁ ସେହି ପରିସ୍ଥିତି। ଚଳିତ ବର୍ଷ ଶୀତ ଆରମ୍ଭରୁ ଚରମ ସୀମାରେ ପହଞ୍ଚିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ। ଦିଲ୍ଲୀର ବାୟୁ ପ୍ରଦୂଷଣ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଅସମ୍ଭାଳ ଆଡକୁ ଯାଉଛି ସ୍ଥିତି । ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ମାନ ୯୦୦ ସ୍ତର ଟପିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ କୃତ୍ରିମ ବର୍ଷା କରାଯିବ। ଆଇଆଇଟି କାନପୁରର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ୨୦ରୁ ବର୍ଷା କରାଇବାକୁ ନିଷ୍ପତ୍ତି ହୋଇଛି। ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ ଦିଲ୍ଲୀ ସରକାର।
ସେପଟେ ଦିଲ୍ଲୀ ଏନସିଆରରେ ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ଯ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି । ଦିଲ୍ଲୀ ଆଖପାଖ ରାଜ୍ୟରେ ପ୍ରଦୂଷଣ ବଢ଼ିବା ଯୋଗୁ ଏହା ପ୍ରଦୂଷିତ ହେଉଥିବା କୁହାଯାଉଛି ।
ଏହାପୂର୍ବରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ସ୍ଥଳେ ଏବେ ଏହାକୁ ବଢାଇ ଦିଆଯାଇଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ବାୟୁ ପ୍ରଦୂଷଣ ଯୋଗୁଁ ଶୀତକାଳୀନ ଛୁଟି ଆଗୁଆ ଘୋଷଣା କରାଯାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ନିଶ୍ୱାସ ନେବା ବହୁତ କଷ୍ଟକର ହୋଇପଡିଛି । ବାୟୁ ପ୍ରଦୂଷଣ ଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି ।
ରାଜଧାନୀରେ ବୁଧବାର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୪୨୧ ରେକର୍ଡ କରାଯାଇଥିଲା । ଅନେକ ସ୍ଥାନରେ ୪୫୦ ଉପରେ ରହିଥିଲା ଏକ୍ୟୁଆଇ । ସେପଟେ ଦିଲ୍ଲୀ ସରକାର ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ନଭେମ୍ବର ୧୩ରୁ ଗାଡ଼ିଗୁଡ଼ିକ ପାଇଁ ଯୁଗ୍ମ-ଅଯୁଗ୍ମ ଯୋଜନା ଲାଗୁ କରିବା ନିଷ୍ପତ୍ତିରୁ ହଟିଛନ୍ତି । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଯୁଗ୍ମ-ଅଯୁଗ୍ମ ଯୋଜନା କେତେ ଲାଭଦାୟକ ସୁପ୍ରିମକୋର୍ଟ ତାହା ସମୀକ୍ଷା କରିବେ । ସୁପ୍ରିମକୋର୍ଟଙ୍କ ଆଦେଶ ମିଳିବା ପରେ ଏହା ଲାଗୁ କରାଯିବ ।
ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଦୀପାବଳି ପରଦିନ ଅର୍ଥାତ୍ ନଭେମ୍ବର ୧୩ରୁ ୨୦ ଯାଏ ଗାଡିଗୁଡି଼କ ପାଇଁ ଯୁଗ୍ମ-ଅଯୁଗ୍ମ ଯୋଜନା ଲାଗୁ କରିବାକୁ ଘୋଷଣା କରିଥିଲେ ଦିଲ୍ଲୀ ସରକାର । ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ । ବୈଠକରେ କନ୍ନଟ ପ୍ଲେସ୍ରେ ଥିବା ଏକ ସ୍ମଗ୍ ଟାୱାରକୁ ପୁଣି ଥରେ ଆରମ୍ଭ କରାଯାଇଥିବା ରାୟ ସୂଚନା ଦେଇଛନ୍ତି । ସେହିପରି କେଜରିୱାଲ ସରକାର ଆଇଆଇଟି କାନପୁର ସହାୟତାରେ ରାଜଧାନୀରେ ୨୧ ଓ ୨୨ ତାରିଖ ବେଳକୁ କୃତ୍ରିମ ବର୍ଷା କରାଇପାରନ୍ତି ବୋଲି ସୂଚନା ମିଳିଛି ।
ଅନ୍ୟପଟେ ବୁଧବାର ଏନ୍ଜିଟିରେ ମଧ୍ୟ ଏହି ମାମଲାର ଶୁଣାଣି ହୋଇଥିଲା । ସେଠାରେ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ ଏହଂ ମହାରାଷ୍ଟ୍ରକୁ ଏ ସଂକ୍ରାନ୍ତରେ ନୋଟିସ୍ ଜାରି କରିଛନ୍ତି । ଏହି ସବୁ ରାଜ୍ୟକୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି କଡ଼ା ପଦକ୍ଷେପ ଉଠାଇବାକୁ କହିଛନ୍ତି କୋର୍ଟ । ଏ ସଂକ୍ରାନ୍ତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଆସନ୍ତା ୧୦ ତାରିଖ ମଧ୍ୟରେ ରାଜ୍ୟଗୁଡିକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।