ବାୟୁସେନାରେ ଅଗ୍ନିବୀରଙ୍କ ପାଇଁ ସୁବିଧା : ୧ କୋଟି ଟଙ୍କାର ବୀମା ସହ ମିଳିବ କ୍ୟାଣ୍ଟିନ୍ ସୁବିଧା
ନୂଆଦିଲ୍ଲୀ : ଅଗ୍ନିପଥ ନିଯୁକ୍ତି ନେଇ ବିସ୍ତୃତ ତଥ୍ୟ ଜାରି କଲା ବାୟୁସେନା । ବାୟୁସେନାରେ ଅଗ୍ନିବୀରଙ୍କ ପାଇଁ ସୁବିଧା । ସ୍ୱତନ୍ତ୍ର ୟୁନିଫର୍ମ ରହିବ । ୪ବର୍ଷ ପରେ ମିଳିବ ୧୦.୪ ଲକ୍ଷ ଟଙ୍କା । ବେତନ, ୟୁନିଫର୍ମ ଓ ଛୁଟି ନେଇ ତଥ୍ୟ ଦେଲା ବାୟୁସେନା । ୧ କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ୍ ସୁବିଧା ପାଇବେ ଅଗ୍ନିବୀର । ଚାକିରୀରେ ପ୍ରାଣ ହରାଇଲେ ପରିବାରକୁ ମିଳିବ ୧କୋଟି ଟଙ୍କା । ଡ୍ୟୁଟି ସମୟରେ ବିକଳାଙ୍ଗ ହେଲେ ମିଳିବ ୪୪ ଲକ୍ଷ ଟଙ୍କା । ବର୍ଷକୁ ମିଳିବ ୩୦ଦିନର ଛୁଟି । ଏହାବାଦ୍ ସ୍ୱତନ୍ତ୍ର ମେଡ଼ିକାଲ ଛୁଟି ବି ମିଳିବ । ପ୍ରଥମବର୍ଷ ଅଗ୍ନିବୀରଙ୍କ ମାସିକ ୩୦ହଜାର ଟଙ୍କା ଦରମା ମିଳିବ । ୩୦ହଜାର ଦରମାରୁ ୨୧ହଜାର ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଆଉ ୯ହଜାର ଟଙ୍କା ଅଗ୍ନିବୀର କର୍ପସ ଫଣ୍ଡକୁ ଯିବ । ପ୍ରତିବର୍ଷ ଦରମା ବୃଦ୍ଧି ହୋଇ ଚତୁର୍ଥ ବର୍ଷରେ ୪୦ହଜାର ଟଙ୍କା ମିଳିବ ।
ସୂଚନା ଯେ, ଆହୁରି ସଶକ୍ତ ହେବ ଭାରତୀୟ ସେନା। ଶତ୍ରୁଙ୍କ ଉପରେ ଅଗ୍ନି ହୋଇ ବର୍ଷିବେ ଅଗ୍ନିବୀର । ଯୁବବର୍ଗଙ୍କୁ ସେନାରେ ଯୋଡିବା ପାଇଁ ଭାରତ ସରକାର ଗ୍ରହଣ କରିଛନ୍ତି ସ୍ବତନ୍ତ୍ର ପଦକ୍ଷେପ । ସଶସ୍ତ୍ର ସେନାର ଆଧୁନିକୀକରଣ ପାଇଁ ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଗାମୀ ୩ ମାସରେ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ୪ ବର୍ଷ ପର୍ଯ୍ୟନ୍ତ ମାତ୍ର ସେନାରେ ନିୟୋଜିତ ରହିବେ ଅଗ୍ନିବୀର । ସେନାରେ ଭର୍ତ୍ତି ପାଇଁ ଅଗ୍ନିବୀରଙ୍କ ଶିକ୍ଷାଗତଙ୍କ ଯୋଜନା ପୂର୍ବପରି ରହିବ । ଶାରିରୀକ ଦକ୍ଷତା ଆଧାରରେ ଦ୍ବାଦଶ ପାସ ଆଶାୟୀ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ । ଅଗ୍ନିବୀର ହେବା ପାଇଁ ଆଶାୟୀଙ୍କ ବୟସ ସାଢେ ୧୭ ବର୍ଷ ବର୍ଷରୁ ୨୧ ବର୍ଷ ମଧ୍ୟରେ ରହିବ । ଏହି ଯୋଜନା ଅନୁସାରେ ପ୍ରତିବର୍ଷ ୪୫ ହଜାର ଯୁବପୀଢୀଙ୍କୁ ସେନାରେ ସାମିଲ କରାଯିବ। ମେଡିକାଲ ଟେଷ୍ଟ ଓ ମେରିଟ ଆଧାରରେ ଚୟନ ହେବେ ଅଗ୍ନିବୀର । ୧୦ ସପ୍ତାହରୁ ୬ ମାସ ଯାଏଁ ଦିଆଯିବ ପ୍ରଶିକ୍ଷଣ ।
ଆଉ ୪ ବର୍ଷ ପୂରଣ ପରେ ଭାରତୀୟ ସେନାରେ ୧୫ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ । ୪ ବର୍ଷର ଚାକିରୀ ପରେ ସେବା ନିଧି ପ୍ୟାକେଜରେ ଅଗ୍ନିବୀରଙ୍କୁ ମିଳିବ ୧୨ ଲକ୍ଷ ଟଙ୍କା । ଏଥିପାଇଁ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ୨୫% ଅଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ ଭର୍ତ୍ତିକୁ ନେଇ ବିରୋଧ ଦେଖାଦେଇଛି । ଅଗ୍ନିପଥ ଯୋଜନାରେ ୪ ବର୍ଷ ପୂରଣ ପରେ ଅଗ୍ନିବୀରଙ୍କୁ ସିଏପିଏଫ ଏବଂ ଆସାମ ରାଇଫଲ୍ସରେ ଭର୍ତ୍ତି ହେବାପାଇଁ ଦିଆଯିବ ପ୍ରାଥମିକତା । ସେବାର ୪ ବର୍ଷ ପୂରଣ ପରେ ଉତ୍ତର ପ୍ରଦେଶ ସରକାର ଅଗ୍ନିବୀରଙ୍କୁ ପୋଲିସ ଓ ଅନ୍ୟ ସମ୍ବନ୍ଧିତ ସେବାରେ ପ୍ରାଥମିକତା ଦେବ । ସେହିପରି ଅଗ୍ନିପଥ ଯୋଜନାରେ ଭର୍ତ୍ତି ଯବାନଙ୍କୁ ରାଜ୍ୟ ପୋଲିସ ବିଭାଗରେ ପ୍ରାଥମିକତା ଦେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଆସାମ ଆରୋଗ୍ୟ ନିଧିରେ ଅଗ୍ନିବୀରଙ୍କୁ ସୁଯୋଗ ଦେବେ ରାଜ୍ୟ ସରକାର । ଭାରତୀୟ ସେନାରେ ପାଖାପାଖି ଏକ ଲକ୍ଷରୁ ଅଧିକ ପଦ ଖାଲି ରହିଛି । କୋରୋନା କାରଣରୁ ଗତ ୨ ବର୍ଷ ସେନାରେ ଭର୍ତ୍ତି ହୋଇନାହିଁ । କିନ୍ତୁ ଏହି ସମୟରେ ନୌସେନାରେ ୮,୩୧୯ ଓ ବାୟୁସେନାରେ ୧୩,୦୩୨ ନିଯୁକ୍ତି ପାଇଛନ୍ତି ।