ଏଆଇଏଡିଏମକେ ମୁଖ୍ୟ ପଲାନିସ୍ବାମୀ, ବାଜା ବଜାଇ ଓ ବାଣ ଫୁଟାଇ ଉତ୍ସବ ପାଳନ କଲେ ସମର୍ଥକ
ନୂଆଦିଲ୍ଲୀ : ଏଆଇଏଡିଏମକେ ଦଳର ଅନ୍ତରୀଣ ମୁଖ୍ୟ ରହିବେ ଇ.ପଲାନିସ୍ବାମୀ । ଏନେଇ ମାଡ୍ରାସ ହାଇକୋର୍ଟର ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ମାଡ୍ରାସ ହାଇକୋର୍ଟ ରାୟ ବିରୋଧରେ ବିଚାରପତି ଦୀନେଶ ମହେଶ୍ୱରୀ ଏବଂ ଋଷିକେଶ ରୟଙ୍କ ଏକ ଖଣ୍ଡପୀଠ ପନିରସେଲଭମଙ୍କ ଆବେଦନ ଖାରଜ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଚେନ୍ନାଇରେ ପଲାନିସ୍ବାମୀ ଗୋଷ୍ଠୀର ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେମାନେ ବାଜା ବଜାଇ ଓ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି ।
ସୂଚନା ଯେ, ଜୁଲାଇ ୧୧ରେ ଏଆଇଏଡିଏମକେ ସାଧାରଣ ପରିଷଦ ଏଡାପାଦୀ କେ ପାଲାନିସ୍ୱାମୀଙ୍କୁ ଦଳର ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଥିଲା। ବୈଠକରେ ସଂଯୋଜକ ଏବଂ ସହ-ସଂଯୋଜକ ପଦବୀ ମଧ୍ୟ ଉଚ୍ଛେଦ କରାଯାଇଥିଲା। ଏହା ପୂର୍ବରୁ ପନିରସେଲଭମ ଦଳର ସଂଯୋଜକ ଥିଲେ । ଦଳର ନିଷ୍ପତ୍ତି ବିରୋଧରେ ପନିରସେଲଭମ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।