ଆଇପିଏଲ ଦଳର ନାଁ ଘୋଷଣା କଲା ଅହମଦାବାଦ
ନୂଆଦିଲ୍ଲୀ: ଆଇପିଏଲ (ଇଣ୍ଡିଆନ୍ ପ୍ରିମିଅର ଲିଗ୍)ର ୧୫ତମ ସିଜିନରେ ୧୦ଟି ଦଳ ଭାଗ ନେବାକୁ ଯାଉଛନ୍ତି । ଗତ କିଛି ବର୍ଷ ହେଲା ୮ଟି ଦଳ ଭାଗ ନେଉଥିଲେ । କିନ୍ତୁ ୨୦୨୨ ଆଇପିଏଲ ପାଇଁ ଆଉ ୨ଟି ଦଳକୁ ମିଶା ଯାଇଛି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହେଉଛି ଲକ୍ଷ୍ନୌ ଓ ଅନ୍ୟଟି ହେଉଛି ଅହମଦାବାଦ । ଲକ୍ଷ୍ନୌ ପୂର୍ବରୁ ଆଇପିଏଲ ଦଳର ନାଁ ଲକ୍ଷ୍ନୌ ସୁପର ଜିଆଂଟ୍ ଦେଇସାରିଥିବା ବେଳେ ଏବେ ଅହମଦାବାଦର ଆଇପିଏଲ ଦଳର ନାରଁ ସାମ୍ନାକୁ ଆସିଛି ।
ଅହମଦାବାଦକୁ ସିଭିସି କ୍ୟାପିଟାଲ୍ସ କିଣିଥିଲା । ନିଲାମ ପୂର୍ବରୁ ଫ୍ରାଂଚାଇଜି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଆଫଗାନିସ୍ତାନ୍ ଲେଗ୍ ସ୍ପିନର ରାଶିଦ୍ ଖାନ୍ ଏବଂ ଭାରତୀୟ ଯୁବ ଓପ୍ନର ଶୁବମନ୍ ଗିଲଙ୍କୁ ନିଜ ଟିମରେ ସାମିଲ୍ କରିଥିଲା । ଫ୍ରାଂଚାଇଜି ହାର୍ଦ୍ଦିକ ଓ ରାଶିଦଙ୍କୁ ୧୫ କୋଟି ଟଙ୍କା ଲେଖାଏ ପ୍ରଦାନ କରିଛି । ସେହିପରି ଗିଲଙ୍କୁ ୮ କୋଟି ଟଙ୍କାରେ ଅହମଦାବାଦ ନେଇଛି । ପୂର୍ବ ସଂସ୍କରଣ ଗୁଡ଼ିକରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟିମର ନେତୃତ୍ୱ ନେବେ । ହାର୍ଦ୍ଦିକଙ୍କୁ ଏହା ପୂର୍ବରୁ କେବେବି କ୍ୟାପଟେନ୍ସି କରିବାର ସୁଯୋଗ ମିଳିନାହିଁ ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଅହମ୍ମଦାବାଦ ଦଳର ନାଁ ଅହମଦାବାଦ ଟାଇଟାନ୍ସ ରଖାଯାଇଛି । ଅହମଦାବାଦ ଟାଇଟାନ୍ସକୁ ସିଭିସି କ୍ୟାପିଟାଲ୍ସ କିଣିଥିବା ବେଳେ ଲକ୍ଷ୍ନୌ ସୁପର ଜିଆଂଟକୁ ସଞ୍ଜୀବ ଗୋଏଙ୍କା କିଣିଛନ୍ତି । ସୂଚନା ଅନୁସାରେ ଲକ୍ଷ୍ନୌ ଦଳ ନିଜ ନାଁ ରଖିବା ପାଇଁ ପ୍ରଶଂସକମାନଙ୍କୁ ପ୍ରସ୍ତାବ ଦେବା ପାଇଁ କହିଥିଲା । ଅନ୍ୟପକ୍ଷରେ ଅହମଦାବାଦ ନିଜ ନାଁ ରଖିବା ପାଇଁ ଏକ କମ୍ପାନିର ସାହାଯ୍ୟ ଲୋଡିଥିଲା । ୨୦୨୨ ଆଇପିଏଲରେ ଏହି ୨ଟି ଦଳକୁ ମିଶାଇ ମୋଟ ୧୦ଟି ଦଳ ଖେଳିବେ । ସେଗୁଡ଼ିକ ହେଲା ଚେନ୍ନାଇ ସୁପର କିଙ୍ଗ୍ସ୍, ମୁମ୍ବାଇ ଇଣ୍ଡିଆନ୍ସ, କୋଲକତା ନାଇଟ୍ ରାଇଡର୍ସ୍, ରାଜସ୍ଥାନ ରୟାଲ୍ସ୍, ସନରାଇଜର୍ସ୍ ହାଇଦ୍ରାବାଦ, ପଞ୍ଜାବ କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ୍, ରୟାଲ୍ ଚ୍ୟାଲେଞ୍ଜର୍ସ୍ ବାଙ୍ଗାଲୋର୍, ଲକ୍ଷ୍ନୌ ସୁପର ଜିଆଂଟ ଓ ଅହମଦାବାଦ ଟାଇଟାନ୍ସ । ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ଥର ଆଇପିଏଲ୍ ଜିତିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ୍ ଦ୍ୱିତୀୟ ସର୍ବାଧିକ ୪ଥର ଆଇପିଏଲ୍ ଜିତିଛି ।