କମ୍ ସମୟ ସହ ମହିଳାଙ୍କ ଶ୍ରମ ଲାଘବ ପାଇଁ ବ୍ୟବହୃତ କୃଷି ଯନ୍ତ୍ରପାତି
ଉପକ୍ରମ :-
କୃଷି କ୍ଷେତ୍ରରେ ଧାନରୁଆ, ଘାସବଛା , ବିହନବଛା, ଫସଲ ଅମଳ ପରବର୍ତ୍ତୀ ଯତ୍ନ ପାଇଁ ମହିଳାମାନେ ବହୁ କଷ୍ଟସାଧ୍ୟ କାମ କରନ୍ତି । ଏହା ଦ୍ଵାରା ସେମାନଙ୍କର ଅଧିକ ସମୟ ଅପଚୟ ହେବା ସହିତ ଶାରୀରିକ ପରିଶ୍ରମ ହୋଇଥାଏ । ଏହି ଶ୍ରମ ଲାଘବ ସହିତ କମ୍ ସମୟରେ କୃଷି କର୍ମ ଦକ୍ଷତାର ସହ ସଂପାଦନ ପାଇଁ ବିଭିନ୍ନ ଉନ୍ନତ କୃଷି ଯନ୍ତ୍ରପାତିର ଆବଶ୍ୟକତା ରହିଛି।
ଘାସ ବଛା ଯନ୍ତ୍ର :-
ଶୁଷ୍କାଞ୍ଚଳ ଘାସ ବଛା ଯନ୍ତ୍ର :
ବିଦା ପରି ଘାସ ବଛା ଯନ୍ତ୍ର ବାଲିଆ ଓ ଦୋରସା ମାଟି ପାଇଁ ଅଧିକ ଉପଯୁକ୍ତ । ଜଣେ ମହିଳା ଏହାକୁ ସହଜରେ ଚଳେଇପାରିବ । ଏହି ଯନ୍ତ୍ରକୁ ଆଗକୁ ଠେଲିଲେ ଏହି ଡ୍ରମ ଘୂରିବାକୁ ଲାଗେ ଏବଂ ଏଥିରେ ସଂଯୋଗ ହୋଇଥିବା ବକ୍ର ବ୍ଲେଡ୍ ବା ପାତ ଘାସ ଓ ଅନାବନା ଗଛ ଚେରକୁ କାଟିଦିଏ । ଏହି ଉଇଡ଼ର ଦ୍ଵାରା ଦିନକୁ ୨୫ ଡେସିମିଲ ଘାସ ବଛା ହୋଇପାରେ ।
ଧାନ ପାଇଁ ଘାସବଛା ଯନ୍ତ୍ର :
ଧାନ କ୍ଷେତରେ ହାଲୁକା ଭାବରେ ଘାସ ବଛା ପାଇଁ ଏହି ଯନ୍ତ୍ର ଉର୍ଦ୍ଧିଷ୍ଟ । ଜଣେ ମହିଳା ଏହାକୁ ସହଜରେ ଚଳାଇପାରିବେ । ଏହି ଯନ୍ତ୍ରକୁ ଆଗ ପଛ କଲେ ଧାନ କ୍ଷେତର ଧାଡି ମଧ୍ୟରେ ଥିବା ଘାସ ଉପୁଡି ମାଟିରେ ପୋତି ହୋଇଯାଏ । ଘଣ୍ଟାକ ମଧ୍ୟରେ ପ୍ରାୟ ୫ ଡେସିମିଲ ଘାସ ବଛା ହୋଇପାରେ ।
ହାତଟଣା ଘାସବଛା ଯନ୍ତ୍ର :
ଶୁଷ୍କାଞ୍ଚଳ ପାଇଁ ଏହି ଯନ୍ତ୍ର ଉର୍ଦ୍ଧିଷ୍ଟ । ଏହାର ଗୋଟିଏ ହ୍ୟାଣ୍ଡଲରେ ଦୁଇ ଧାରୁଆ ବ୍ଲେଡ ଓ ଗୋଟିଏ ଦାନ୍ତୀ ଥାଏ । ଏହାକୁ ଧାଡି ମଧ୍ୟରେ ନିଜ ଆଡକୁ ଟାଣିଲେ ମାଟି ତଳେ ଥିବା ଘାସ ଉପୁଡିଯାଏ ।
ଚକ୍ର ଖୁସୁଣି :
ଏହି ଚକ୍ର ଖୁସୁଣିରେ ଲୁହା ପାତରେ ୩ ଟି ଦାନ୍ତୀଲାଗିଥାଏ । ଆଗରେ ଗୋଟିଏ ଚକ ଲାଗିଥାଏ । ଦୁଇ ଦଣ୍ଡାରେ ଦୁଇଟି ବେଣ୍ଟ ଲାଗିଥାଏ । ବିଦାଟିକୁ ଆଗକୁ ଓ ପଛକୁ ସହଜରେ ପେଲିବା ପାଇଁ ଚକ ସାହାଯ୍ୟ କରେ । ଲୁହା ଦାନ୍ତୀ ସାହାଯ୍ୟରେ ମାଟି ଖୋଳି ଘାସ ଉପୁଡିପଡେ ।
ବିହନ ବୁଣାଯନ୍ତ୍ର :-
ଧାନ , ଗହମ , ମୁଗ , ନଳିତା ଇତ୍ୟାଦି ବିହନ ମଞ୍ଜି ବୁଣାଯାଏ । ଏକ କାଳୀନ ୩ /୪ ଧାଡି ବିହନ ଠିକ୍ ଗଭୀରରେ ବୁଣିବା ଫଳରେ ବିହନ କମ୍ ଖର୍ଚ୍ଚ ହୁଏ , ଗଛ ସଂଖ୍ୟା ଠିକ୍ ରହେ ଏବଂ ଅନ୍ତଃଚାଷ ସୁବିଧାରେ ହୋଇଥାଏ । ତେବେ ମାଟି ଭଲ ଭାବେ ଗୁଣ୍ଡଚାଷ କରି ଧାଡି ବୁଣା ଯନ୍ତ୍ର ବ୍ୟବହାର କରିବାକୁ ପଡେ । ଏହା ଦ୍ୱାରା ଦିନକୁ ୨୫ ଡେସିମିଲ ଜମି ବୁଣି ହେବ ।
ଚିନାବାଦାମ ଚୋପା ଛଡା ଯନ୍ତ୍ର :-
ଏହି ଯନ୍ତ୍ର ଦେଖିବାକୁ ଏକ ବାକ୍ସ ପରି, ଗୋଟିଏ ଫ୍ରେମ ଉପରେ ଏହିବାକ୍ସ ଖଞ୍ଜାଯାଏ । ଏହା ତଳକୁ ଏକ ରୋଲର ଥାଏ । ରୋଲର ତଳକୁ ଗୋଟିଏ ଆବୁ ଆବୁଆ ତାର ଜାଲି ରଖାଯାଏ । ରୋଲର ଭୁଲିଲେ ଏହାର ଛୋଟ ଦାନ୍ତ ଚିନାବାଦାମକୁ ଜାଲି ଉପରେ ଗଡାଇ ଗଡାଇ ଘୋଷାରି ନିଏ । ଫଳରେ ଦାନ୍ତ ଚିନାବାଦାମରୁ ଚୋପା ଛାଡିଯାଏ ଏବଂ ମଞ୍ଜିଗୁଡିକ ତଳକୁ ଚାଲିଯାଏ । ଏହି ଯନ୍ତ୍ରଦ୍ଵାରା ଘଣ୍ଟାକରେ ୧୫ କିଲୋ ବାଦାମରୁ ଚୋପା ଛଡାଯାଇପାରେ ।
ଫସଲ ଅମଳ ଓ ଅମଳ କୃଷି ଯନ୍ତ୍ର :-
ଧାନ ଅମଳ ଯନ୍ତ୍ର :
ଏହି ଯନ୍ତ୍ରଟି ସାଇକଲରେ ବସି ପେଡଲ ମାରିବା ପରି ଚଲାଯାଏ । ଏହାର ବାକ୍ସ ମଧ୍ୟରେ ଏକ ରୋଲର ଡ୍ରମ ଥାଏ । ଡ୍ରମର ଚାରିପାଖରେ ଦାନ୍ତୀସବୁ ଖଞ୍ଜା ହୋଇଥାଏ । ଜଣେ ଲୋକ ପେଡଳ ଚଳାଇବା ସହିତ ଧାନ ବିଡାକୁ ଡ୍ରମ ଉପରେ ରଖିଲେ ଦାନ୍ତିଦ୍ଵାରା ଧାନ ଝଡି ତଳକୁ ବାହାରି ଆସେ । ଏହାପରେ ଏହି ଧାନକୁ ପଙ୍ଖା ସଂଯୁକ୍ତ ଧାନ ଉଡା ଯନ୍ତ୍ରରେ ସଫା କରିହୁଏ ।
ଦାଆ :
ଘାସ କାଟିବା ପାଇଁ ଏହା ଅତ୍ୟନ୍ତ ଉପଯୁକ୍ତ । ସୂତନ୍ତ୍ର ଶୈଳୀରେ ନିର୍ମିତ ମୁଠା ଧାନ କାଟିବା ପାଇଁ ଖୁବ୍ ସାହାଯ୍ୟ କରେ । ଦାଆଟି କଳା ଇସ୍ପାତ ନିର୍ମିତ ଏବଂ ଏହାର ଚଉଡା ପ୍ରାୟ ୫ ସେଣ୍ଟି ମିଟର । ଜଣେ ମହିଳା ଦିନକୁ ୨୫ ଡେସିମିଲ ଜମିରେ ଧାନ କାଟିବା ଏହାଦ୍ଵାରା ସମ୍ଭବ ।
ଚିନାବାଦାମ ତୋଳା ଯନ୍ତ୍ର :
ଚିନାବାଦାମ ଗଛରୁ ଫଳ ଗୁଡିକ ବାହାର କରିବା ପାଇଁ ଏହା ବ୍ୟବହାର କରାଯାଏ । ଗୋଟିଏ ଆୟତାକାର ଫ୍ରେମ୍ ଉପରେ ଚାରିଧାରରେ ପାନିଆ ପରି ସିଧା ଭାବରେ କୀଳା ସବୁ ସଜାଇ ହୋଇରହିଥାଏ । ଏହି ପାନିଆ ସାହାଯ୍ୟରେ ଚିନାବାଦାମ ଗଛରୁ ଫଳ ଅମଳ କରାଯାଏ । ଘଣ୍ଟାକରେ ପ୍ରାୟ ୨୦୦ ରୁ ୩୦୦ କିଲୋଗ୍ରାମ ଫଳ ୪ ଜଣ ମହିଳାଙ୍କଦ୍ଵାରା ଅମଳ କରାଯାଇପାରେ ।
ତ୍ରମ ଆକୃତି ଚିନାବାଦାମ ତୋଳା ଯନ୍ତ୍ର :
ଏହି ଯନ୍ତ୍ରଦ୍ଵାରା ମଧ୍ୟ ଚିନାବାଦାମ ଗଛରୁ ଫଳକୁ ଅଲଗା କରାଯାଏ । ଜଣେ ମାତ୍ର ମହିଳା ଏହାକୁ ଚଳାଇ ପାରିବେ । ଦୁଇଟି ଧାତବ ଥାଳିଆକୁ ନେଇ ତିଆରି ଫମ୍ପା ଡ୍ରମରେ ରବର ନଳୀ ଗୁଡା ହୋଇଥିବା କେତେକ ଧାତବ ରଡ୍ଥାଏ । ଏହି ଡ୍ରମକୁ ଘୁରାଇ ଚିନାବାଦାମ ଗଛକୁ ଏହା ଉପରେ ବାଡେଇଲେ ଫଳ ଗୁଡିକ ଗଛରୁ ବାହାରିଯାଏ ।
ହସ୍ତ ଚାଳିତ ଶସ୍ୟ ସଫା କରିବା ଚାଲୁଣି :
ଏହି ଯନ୍ତ୍ରଦ୍ଵାରା ବୁଟ, ଗହମ, ସୋୟାବିନ, ମୁଗ, ବିରି, ଇତ୍ୟାଦି ମଞ୍ଜିରୁ ଅପମିଶ୍ରିତ ମଞ୍ଜି, କାଠିକୁଟା ଓ ଗୁଣ୍ଡ ଇତ୍ୟାଦି ବହାର କରାଯାଏ । ଗୋଟିଏ ଫ୍ରେମରେ ଦୁଇଟି ଧାତବ ଚାଲୁଣି ଥାଏ । ପ୍ରାୟ ୧୦ କିଲୋଗ୍ରାମ ଶସ୍ୟ ଏହି ଚାଲୁଣିରେ ରଖାଯାଇ ଏହାକୁ ଦୋଳି ପରି ଆଗପଛ କରାଯାଏ । ଏହାଦ୍ଵାରା ଶସ୍ୟ ମଞ୍ଜି ବାହାରିଯାଏ ଓ ଅପମିଶ୍ରିତ ପଦାର୍ଥ ଲୁଣି ଉପରେ ରହିଥାଏ । ପରିଷ୍କୃତ ଶସ୍ୟକୁ ଫୁଣିଥରେ ଚାଲୁଣିରେ ଚଳାଇ ଧୁଳି ଓ ଗୁଣ୍ଡ ଇତ୍ୟାଦି ବାହାର କରାଯାଏ ।
ହସ୍ତଚାଳିତ ପାଣିପମ୍ପ :
୫ ମିଟରକୁ କମ୍ ଗଭୀରରୁ ପାଣି ଉଠାଇବା ପାଇଁ ଏହି ପମ୍ପ ବ୍ୟବହାର କରାଯାଇପାରେ । କୂଅ, ପୋଖରୀ, ଗାଡିଆ ଓ କେନାଲରୁ ପାଣି ଉଠାଇ ଫସଲରେ ମଡାଇବା ପାଇଁ ଏହି ପମ୍ପଟି ଖୁବ୍ ଉପଯୋଗୀ । କୃଷିକ ମାନଙ୍କ ପାଇଁ ୧୫ ଫୁଟ କମ୍ ଗଭୀରରୁ ପାଣି ଉଠାଇବା ପାଇଁ ଅତ୍ୟନ୍ତ ଉପଯୋଗୀ ।