ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ଦୈନିକ ସମାଜର ପୂର୍ବତନ ସଂପାଦିକା, ଶିକ୍ଷାବିତ୍ ତଥା ବିଷିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତି କରାଯାଇ ଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଶନିବାର ତାଙ୍କର ବିୟୋଗ ଘଟିଛି । ୧୯୩୪ ମସିହା ଜୁନ୍ ୧୦ ତାରିଖରେ କଟକ ଆଠଗଡରେ ତାଙ୍କର ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତା ମନୋରମା ମହାପାତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ଝିଅ । ପ୍ରାଥମିକ ଶିକ୍ଷା ଶେଷ ପରେ ରେଭେନସା ଗାର୍ଲସ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ । ୧୯୭୦ ମସିହାରେ ଓଡ଼ିଶା ଶିକ୍ଷା ବିଭାଗରେ ଯୋଗ ଦେଇ ଅର୍ଥନୀତି ପ୍ରାଧ୍ୟାପିକା ଭାବରେ ଦୀର୍ଘ ୧୫ବର୍ଷ କାଳ ଶିକ୍ଷାଦାନ କରିଛନ୍ତି । ୧୯୮୫ ମସିହାରେ ସେ ସରକାରୀ ଚାକିରୀରୁ ଅବସର ନେଇ ସାମ୍ବାଦିକତା ଓ ସାହିତ୍ୟ ସେବାରେ ନିଜକୁ ନିୟୋଜିତ ରଖିଥିଲେ । ୧୯୮୪ ମସିହାରେ ସେ ସାହିତ୍ୟ ଏକାଡେମୀ ଆୱାର୍ଡ ପାଇଥିଲେ । ୧୯୯୧ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷା ଥିଲେ ।
ସେ ଏକାଧାରରେ ଜଣେ କବୟିତ୍ରୀ, ଲେଖିକା, ସ୍ତମ୍ଭକାର, ସାମ୍ବାଦିକା ଓ ଅବସରପ୍ରାପ୍ତ ଅଧ୍ୟାପିକା ଥିଲେ । ମନୋରମାଙ୍କ ଅନେକ ଉପନ୍ୟାସ, ଗଳ୍ପ ଓ କବିତା ମଧ୍ୟରେ ବଣରାଇଜର କଥା, ବୈଦେହୀ ବିସର୍ଜିତା, ଏକଲା ନଈର ଗୀତ, ଜହ୍ନରାତିର ମୁହଁ, ସାତ ସମୁଦ୍ର ତେର ନଈ, ଟିକି ବଗିଚାର ଟିକି ଚଢ଼େଇ, ଆଇଙ୍କ ମୁଣିରୁ ବିଜ୍ଞାନ ଗପ, ବନ୍ଦ ଘରର କବାଟ, ଆମେ ସବୁ ନୀରବ ଦର୍ଶକ, ଝଡ଼ପରେ ସୂର୍ଯ୍ୟୋଦୟ, ପାହାନ୍ତି ତାରାର ଲୁହ, ସମୟ ପୁରୁଷ ଆଦି ପ୍ରସିଦ୍ଧ ଗପ ଓ ଉପନ୍ୟାସ ରହିଛି ।