ଦୁଇ ବର୍ଷ ପରେ ଦୁର୍ଲଭ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ : ନବଦିନାତ୍ମକ ଯାତ୍ରାର ସାରି ଶ୍ରୀମନ୍ଦିର ଫେରିଲେ କାଳିଆ ଠାକୁର। ଭାଇଭଉଣୀଙ୍କୁ ସାଥିରେ ନେଇ ଶନିବାର ନିଜ ବଡ ଦେଉଳକୁ ବଡ ଠାକୁର ଫେରିଛନ୍ତି। ଶ୍ରୀଜିଉଙ୍କ ରଥ ସିଂହଦ୍ୱାରରେ ଅଟକିଛି। ବାହୁଡ଼ାଯାତ୍ରା ପରେ ରବିବାର ରଥାରୁଢ ତିନି ଠାକୁର ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତି ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ବଡଦାଣ୍ଡରେ ୮୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ରବିବାର ଶ୍ରୀଜିଉ ରତ୍ନଖଚିତ ମହଣ ମହଣ ସୁନାର ଅଳଙ୍କାର ପିନ୍ଧି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ। ସୁନାର କିରୀଟ, କୁଣ୍ଡଳ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣରେ ମହାବାହୁ ଆଭୂଷିତ ହେବେ। ଅପରାହ୍ଣ ୨ଟାରୁ ସୁନାବେଶ ଆରମ୍ଭ ହେବ। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ରଥଯାତ୍ରା, ବାହୁଡ଼ାଯାତ୍ରା ଭଳି ସୁନାବେଶରେ ବି ସଅଳ ବେଶଲାଗି ଓ ଓଲାଗି କରିବାକୁ ଲକ୍ଷ୍ୟ ରଖାଯାଇଛି।
ରବିବାର ୬ ଘଣ୍ଟା ଧରି ଚତୁର୍ଦ୍ଧାମୂର୍ତ୍ତି ସୁନାବେଶରେ ଦର୍ଶନ ଦେବେ। ଅପରାହ୍ଣ ୫ଟା ଧାର୍ଯ୍ୟ ସମୟ ଥିଲେ ବି ଦିନ ୨ଟାରୁ ସୁନାବେଶ ଲାଗି ଆରମ୍ଭ ହେବାର ସମ୍ଭାବନା ରହିଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ରବିବାର ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଛି। ସକାଳ ୭ଟାରେ ମଇଲମ ଓ ତଡ଼ପଲାଗି, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ଅପରାହ୍ଣ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ସାଢ଼େ ଗୋଟାଏରେ ବେଶ ଶେଷ, ଅପରାହ୍ଣ ୨ଟାରୁ ୩ଟା ଭିତରେ ମଧ୍ୟାହ୍ଣଧୂପ, ଅପରାହ୍ଣ ସାଢ଼େ ୩ଟାରେ ମଇଲମ, ଅପରାହ୍ଣ ସାଢ଼େ ୪ଟାରେ ମେକାପ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେବ।
ଅପରାହ୍ଣ ୩ଟାରୁ ସୁନାବେଶ ଆରମ୍ଭ ହେବ। ରାତି ୮ଟାରୁ ୯ଟା ସଂଧ୍ୟାଧୂପ, ୯ଟା ୧୫ରେ ମହାଦୀପ ବନ୍ଦାପନା, ରାତି ୧୦ଟାରୁ ୧୧ଟା ସୁନାବେଶ ଓଲାଗି, ସାଢ଼େ ୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡ଼ସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ, ୧୨ଟା ୪୫ରେ ମଇଲମ, ରାତି ୧ଟାରେ ମହାସ୍ନାନ ପୂଜାଠା, ସାଢ଼େ ଗୋଟାଏରେ ଶୟନ ଠାକୁର ବିଜେ, ଗୋଟାଏ ୪୦ରେ ମହାସ୍ନାନ ଶେଷ, ଗୋଟାଏ ୫୦ରେ ମଇଲମ, ୨ଟା ୧୦ରେ ଚନ୍ଦନଲାଗି, ୩ଟାରେ ବଲ୍ଲଭ ବଡ଼ସିଂହାର ବେଶ, ସାଢ଼େ ୩ଟାରେ ବଲ୍ଲଭ ବଡ଼ସିଂହାର ଭୋଗ, ୪ଟାରେ ହରିଶୟନ ନୀତି ହୋଇ ଭୋର ୪ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।
ସୁନାବେଶକୁ ରାଜବେଶ ବା ବଡ଼ତଢାଉ ବେଶ ମଧ୍ୟ କୁହାଯାଏ। ଏହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ। ସୁନାବେଶରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ। ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ଅନୁଷ୍ଠିତ ହୋଇଥାଏ।