ମହାପ୍ରଭୁଙ୍କ ଦର୍ଶନ ସାରି ମହାପ୍ରସାଦ ଖାଇବେ ରାଷ୍ଟ୍ରପତି
ପୁରୀ : ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିବେ । ସକାଳ ସାଢ଼େ ୯ଟା ସମୟରେ ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅର୍ନର ପ୍ରଦାନ କରାଯିବ । ଏହାପରେ ସେଠାରୁ ସେ ହେଲିକପ୍ଟର ଯୋଗେ ପୁରୀ ଯିବେ । ସାଢ଼େ ୧୦ଟା ସମୟରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଂଚିବେ । ଏହାପରେ କାରକେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି ।
ଶ୍ରୀମନ୍ଦିରରେ ସେ ପାଖାପାଖି ଏକ ଘଣ୍ଟା ରହିବେ । ମହାପ୍ରଭୁଙ୍କ ଦର୍ଶନ ସାରି ସାଢ଼େ ୧୧ଟାରେ ରାଷ୍ଟ୍ରପତି ସିଂହଦ୍ୱାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ସେଠାରୁ ସିଧା ରାଜଭବନ ବାହାରିବେ । ୧୨ଟାରେ ରାଜଭବନରେ ପହଞ୍ଚିବେ ସେଠାରେ ସେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ଭାରତର ରାଷ୍ଟ୍ରପତି ଭାବେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ସ୍ଥାନୀୟ ପ୍ରଶାସନର ସହଯୋଗରେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ପୁରୀ ଗସ୍ତ ବେଳେ ପୁରୀ ରାଜଭବନରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଦୁଇ ଘଣ୍ଟା ବିଶ୍ରାମ ନେବା କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଭବନକୁ ସୁନ୍ଦର ଭାବେ ସଜାଯାଇଛି । ସୁନ୍ଦର ଆଲୋକମାଳା ସହ ପ୍ରବେଶ ପଥଠାରୁ ଆରମ୍ଭ କରି ସମଗ୍ର ଭାଜଭବନକୁ ମନୋରମ କରାଯାଇଛି । ଗ୍ରାଉଣ୍ଡ ଫ୍ଲୋରର ୧ ନମ୍ବର କୋଠରୀରେ ରହିବେ ମହାମହିମ । ୧୭ଟି କୋଠରୀକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ୧ ନମ୍ବର କୋଠରୀକୁ ବିଶେଷ ଭାବେ ସଜାଯାଇଛି । ଭାରତର ପ୍ରଥମ ନାଗରିକ ହୋଇଥିବାରୁ ଏହି ରୁମରେ ନମ୍ବର ଲେଖାଯାଇନାହିଁ । ନମ୍ବର ବଦଳରେ ରହିଛି ଅଶୋକ ସ୍ତମ୍ବର ଚିତ୍ର । ରୁମ ଭିତରେ ରହିଛି ଜଗନ୍ନାଥଙ୍କ ଫଟୋଚିତ୍ର । ବେଡରୁମରେ ଦୁଇଟି ସୋଫା ପଡ଼ିଛି । ଡାଇନିଂ ରୁମକୁ ମନୋରମ କରାଯାଇଛି । ରାଜଭବନର ପ୍ରବେଶ ଦ୍ୱାରରେ ନନ୍ଦିଘୋଷ ରଥ ଚକ ଶୋଭା ପାଉଛି । ୩ଟି ରୁମ୍ ରାଷ୍ଟ୍ରପତିଙ୍କ ପରିବାର ଲୋକଙ୍କ ପାଇଁ ରହିଛି । ଉପରମହଲାରେ ରାଜ୍ୟପାଳ ଗଣେଶୀ ଲାଲ ଓ ତାଙ୍କ ପରିବାର ସହ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।
ସେହିପରି ଅପରାହ୍ନରୁ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଷ୍ଟ୍ରପତିଙ୍କୁ ସମ୍ମାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ଘୋଷଣା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ ।