ଆଇପିଏଲରେ ଲଗାତାର ୨ଟି ମ୍ୟାଚ୍ ହାରିବା ପରେ ରୋହିତ ଶର୍ମା ଦେଲେ ହୃଦୟ ଭାଙ୍ଗିଲା ପରି ବୟାନ! ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ
ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲରେ ରେକର୍ଡ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଚଳିତ ସିଜନରେ ଦ୍ୱିତୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଗତ ଶନିବାର ଅର୍ଥାତ ଏପ୍ରିଲ ୮ ରାତିରେ ୱାନକେଡେର ଐତିହାସିକ ପଡ଼ିଆରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଦ୍ୱାଦଶ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ୱାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ବହୁ ସଂଖ୍ୟାରେ ଦର୍ଶକଙ୍କ ସାମ୍ନାରେ ମୁମ୍ବାଇ ଦଳକୁ ୭ ୱିକେଟରେ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ସିଜନରେ ଏହା ମୁମ୍ବାଇର କ୍ରମାଗତ ଦ୍ୱିତୀୟ ପରାଜୟ ଥିଲା । ଏହା ପରେ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ହୃଦୟ ଭାଙ୍ଗିବା ଭଳି ବୟାନ ମଧ୍ୟ ଆସିଛି ।
ଭେଟେରାନ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଶନିବାର ରାତିରେ ଆଇପିଏଲ ମ୍ୟାଚରେ ମୁମ୍ବାଇକୁ ୭ ୱିକେଟରେ ପରାସ୍ତ କରିଛି । ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲା । ଏହା ପରେ ଚେନ୍ନାଇ ଦଳ ୧୮.୧ ଓଭରରେ ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଛି । ଭେଟେରାନ ୱିକେଟ୍ କିପର ତଥା ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଥିଲେ । ଚେନ୍ନାଇ ସ୍ପିନରଙ୍କ ସାମ୍ନାରେ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ କିଛି ବିଶେଷ କରିପାରିନଥିଲେ। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୪ ଓଭରରେ ୨୦ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ଏଥି ସହ ମିଚେଲ ସାଣ୍ଟନର୍ ୨୮ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଯୁବ ପେସର ତୁଷାର ଦେଶପାଣ୍ଡେ ୩ ଓଭର ବୋଲିଂ କରି ୩୧ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ରବିନ୍ଦ୍ର ଜାଡେଜାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବେ ମନୋନୀତ କରାଯାଇଥିଲା ।
ପରାଜୟ ପରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, “ଆମେ ମଝି ରାସ୍ତାରେ ଦିଗ ହରାଇଛୁ । ଆମେ ପାଇଥିବା ଆରମ୍ଭର ଲାଭ ଉଠାଇ ପାରିଲୁ ନାହିଁ । ଏହା ଏକ ଭଲ ପିଚ୍ ଥିଲା, ୩୦-୪୦ ରନ୍ କମ୍ ରହିଯାଇଥିଲା । ମଧ୍ୟମ ଓଭରରେ ଏହାର ଫାଇଦା ଉଠାଇପାରି ନଥିଲୁ । ଦଳର ସ୍ପିନରମାନଙ୍କୁ କ୍ରେଡିଟ୍ ଦିଆଯିବା ଆବଶ୍ୟକ, ସେମାନେ ଭଲ ବୋଲିଂ କରି ଆମକୁ ଚାପରେ ରଖିଥିଲେ । ଆପଣଙ୍କୁ ବିଭିନ୍ନ ଜିନିଷ ଚେଷ୍ଟା କରିବାକୁ ପଡିବ । ଆପଣ ଆକ୍ରମଣାତ୍ମକ ଓ ସାହସୀ ହେବା ଆବଶ୍ୟକ ।”