ଜାମିନ୍ ପାଇବା ପରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ମାନହାନି ମାମଲାରେ ସୁରଟ ସେଶନ କୋର୍ଟରେ ଅପିଲ୍ କଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଅପିଲ୍ ପରେ ସୁରଟ ସେଶନ କୋର୍ଟ, ରାହୁଲ ଗାନ୍ଧୀଙ୍କ ‘କାହିଁକି ସବୁ ଚୋରଙ୍କ ସାଙ୍ଗିଆ ମୋଦୀ’ ମନ୍ତବ୍ୟ ଉପରେ ହୋଇଥିବା ମାନହାନି ମାମଲାରେ ଜାମିନ୍ ବୃଦ୍ଧି କରିଛନ୍ତି । ଆସନ୍ତା ୧୩ ଏପ୍ରିଲ ପର୍ଯ୍ୟନ୍ତ ଜାମିନ୍ ଦିଆଯାଇଛି। ସେହିଭଳି କୋର୍ଟ ୧୦ ଏପ୍ରିଲ ସୁଦ୍ଧା ଆବେଦନକାରୀ ପୁନେଶ ମୋଦୀଙ୍କୁ ଜବାବ ଦାଖଲ କରିବା ପାଇଁ କହିଛନ୍ତି।। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୩ ରେ ହେବ।
ଜାମିନ ପାଇବା ପରେ ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଯେ, ଏହା ‘ମିତ୍ରକାଳ’ର ବିରୋଧରେ, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏକ ସଂଗ୍ରାମ। ଏହି ସଂଗ୍ରାମରେ ସତ୍ୟ ମୋର ଅସ୍ତ୍ର ଏବଂ ସତ୍ୟ ମୋର ଆଶ୍ରୟ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
ये ‘मित्रकाल’ के विरुद्ध, लोकतंत्र को बचाने की लड़ाई है।
— Rahul Gandhi (@RahulGandhi) April 3, 2023
इस संघर्ष में, सत्य मेरा अस्त्र है, और सत्य ही मेरा आसरा! pic.twitter.com/SYxC8yfc1M
ଅନ୍ୟପଟେ ରାହୁଲ ଗାନ୍ଧୀ ସୁରଟ କୋର୍ଟରୁ ଜାମିନ ପାଇବା ପରେ ତାଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ଯୋଦ୍ଧାମାନେ ବିଚଳିତ ହୁଅନ୍ତି ନାହିଁ, ଗୋଟିଏ ମୁହୂର୍ତ୍ତରେ ଧର୍ଯ୍ୟ ହରାନ୍ତି ନାହିଁ, ପ୍ରତିବନ୍ଧକକୁ ଗ୍ରହଣ କରନ୍ତି ଏବଂ କଣ୍ଟା ଦେଇ ରାସ୍ତା ତିଆରି କରନ୍ତି’।
ସୂଚନା ଯେ, ରାହୁଲ ଗାନ୍ଧୀଙ୍କୁ ଗତ ୨୦୧୯ ଲୋକସଭା ନିର୍ବାଚନ ସମୟରେ ମୋଦୀ ସାଙ୍ଗିଆ ବୟାନ ମାମଲାରେ ଦୁଇ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ ଗୁଜରାଟ ନିମ୍ନ ଅଦାଲତ। ଦଣ୍ଡାଦେଶ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଧ ହୋଇଥିଲା। ପରେ ରାହୁଲଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଜାରି ହୋଇଥିଲା। ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ପରେ ରାହୁଲ ଗାନ୍ଧୀ ସୋମବାର ଗୁଜରାଟର ସୁରଟ ସେଶନ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଚନାଥାଉ, ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧକୁ ନେଇ କଂଗ୍ରେସର ବିରୋଧ ଜାରି ରହିଛି। କୋର୍ଟରେ ପହଞ୍ଚିବା ବେଳେ ରାହୁଲଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଏଆଇସିସି ସାଧାରଣ ସଂପାଦକ କେ.ସି. ବେଣୁଗୋପାଳ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦିଗ୍ବିଜୟ ସିଂହ ଏବଂ ଆନନ୍ଦ ଶର୍ମା ଏବଂ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।