ଦୀର୍ଘ ୩ ଘଣ୍ଟା ବୈଠକ ପରେ ଆସିଲା ନିଷ୍ପତ୍ତି, ଆକ୍ରମଣ କମାଇବ ଋଷ
ନୂଆଦିଲ୍ଲୀ : ତୁର୍କୀର ଇସ୍ତାନବୁଲରେ ଋଷ ଏବଂ ୟୁକ୍ରେନର ହୋଇଛି ଶାନ୍ତି ଆଲୋଚନା । ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ଆଲୋଚନା । ଏହି ବୈଠକ ପରେ ଋଷର ମୁଖ୍ୟ ମୁଖପାତ୍ର ମେଡିନସ୍କି ଏକ ସକରାତ୍ମକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯୁଦ୍ଧ ବନ୍ଦ କରିବା ପାଇଁ ଋଷର ରାଷ୍ଟ୍ରପତି ଏବଂ ୟୁକ୍ରେନ ରାଷ୍ଟ୍ରପତି ଏକାଠି ହୋଇପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ୟୁକ୍ରେନ ଉପରେ କମିବ ଆକ୍ରମଣ। ଏହି ପୂର୍ବରୁ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ। ମେଡିନସ୍କି କହିଛନ୍ତି କିଭ ଏବଂ ଚେର୍ନିଭିଭରେ ସାମରିକ କାର୍ୟ୍ୟକଳାପ ହ୍ରାସ କରିବାକୁ ଋଷ ନିଷ୍ପତ୍ତି ନେଇଛି। ତେବେ ୟୁକ୍ରେନ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ କିଭର ବୁଝାମଣାକାରୀମାନେ ଏକ ଅନ୍ତର୍ଜାତୀୟ ଚୁକ୍ତିନାମା କରିବାକୁ କହିଛନ୍ତି। ଅନ୍ୟପକ୍ଷରେ, ଆଜି ଡେନମାର୍କ ସଂସଦକୁ ସମ୍ବୋଧିତ କରିବାବେଳେ ଜେଲେନସ୍କି କହିଛନ୍ତି ମାରିଓପୋଲରେ ଋଷର ଆକ୍ରମଣ ଏକ ଯୁଦ୍ଧ ଅପରାଧ।
ଋଷିଆ ମାନବିକତା ବିରୋଧୀ କାର୍ୟ୍ୟ କରିଛି। ଯଦି ଉଭୟ ଦେଶର ରାଷ୍ଟ୍ରପତି ସିଧାସଳଖ କଥା ହେବେ ତେବେ ଯୁଦ୍ଧ ଶେଷ ହୋଇଯାଆନ୍ତା । ହେଲେ ଋଷ୍ ରାଷ୍ଟ୍ରପତି ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ସିଧାସଳଖ କଥାବାର୍ତ୍ତା ଏତେ ସହଜ ନୁହେଁ। ଉଭୟ ରାଷ୍ଟ୍ରମୁଖ୍ୟ ସିଧାସଳଖ କଥା ହେଲେ ଏହାର ଓଲଟା ଫଳ ମିଳିପାରେ। ୟୁକ୍ରେନ୍ ପାଖରେ ରଖାଯାଇଥିବା ସର୍ତ୍ତ ପ୍ରତି ସେହି ଦେଶର ଆଭିମୁଖ୍ୟ କଣ ରହିଛି ତାହା ଭଲଭାବେ ସ୍ପଷ୍ଟ ହେବାପରେ ହିଁ ଦୁଇ ରାଷ୍ଟ୍ରମୁଖ୍ୟଙ୍କ କଥାବାର୍ତ୍ତା ପାଇଁ ବାଟ ଫିଟି ପାରିବ ବୋଲି ଋଷ ବିଦେଶ ମନ୍ତ୍ରୀ କହିଛନ୍ତି।
ସମସ୍ତ ପ୍ରମୁଖ ପ୍ରସଙ୍ଗ ଗୁଡ଼ିକର ସମାଧାନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ମିଳିବାପରେ ହିଁ ବୈଠକର ଆବଶ୍ୟକତା ରହିଛି ବୋଲି ଋଷ ବିଦେଶ ମନ୍ତ୍ରୀ ସେର୍ଗି ଲାବରବ କହିଛନ୍ତି। ଜେଲେନ୍ସ୍କି ଆଜି ପ୍ରଥମେ କହିଥିଲେ, ବିନା ବିଳମ୍ବରେ ଶାନ୍ତି ରକ୍ଷା ପାଇଁ ସେ ୟୁକ୍ରେନ୍ର ନିରପେକ୍ଷତା ଏବଂ ସୁରକ୍ଷା ଗ୍ୟାରେଣ୍ଟି ସଂକ୍ରାନ୍ତରେ ଋଷ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ। ଋଷ ନେତାଙ୍କ ସହ ମୁହାଁମୁହିଁ କଥାବାର୍ତ୍ତା ହେବା ପରେ ହିଁ ଯୁଦ୍ଧ ଶେଷ ହୋଇପାରିବ ବୋଲି ସେ କହିଥିଲେ । କିନ୍ତୁ ଲାବରବ କହିଛନ୍ତି, ସିଧାସଳଖ ବୈଠକ ଦ୍ବାରା ଓଲଟା ଫଳ ମିଳିପାରେ। ତଥାପି ଏହି ଶାନ୍ତି ବୈଠକ ଉପରେ ସମସ୍ତଙ୍କର ଲକ୍ଷ୍ୟ । ୩ ଘଣ୍ଟା ଆଲୋଚନା ମଧ୍ୟରେ ଯଦି ଆକ୍ରମଣ ହ୍ରାସ ପାଇବ ବୋଲି ସୂଚନା ମିଳିଛି ତେବେ ୨ ଦିନର ଆଲୋଚନାରେ ନିହାତି ବାହାରିବ ନିଷ୍କର୍ଷ ବୋଲି ଆଶା କରାଯାଉଛି।