୪ ବର୍ଷ ପରେ ଏଫଏଟିଏଫର ଗ୍ରେ ଲିଷ୍ଟରୁ ମୁକୁଳିଲା ପାକିସ୍ତାନ, ବିଶ୍ବକୁ ସତର୍କ କଲା ଭାରତ
ଇସଲାମାବାଦ: ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି ବୋଲି ଦାବି କରୁଥିବା ପାକିସ୍ତାନକୁ ବଡ଼ ଆଶ୍ୱସ୍ତି ମିଳିଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଫଏଟିଏଫର ଗ୍ରେ ଲିଷ୍ଟରେ ମୁକୁଳିଛି ପାକିସ୍ତାନ। ଦୀର୍ଘ ୪ ବର୍ଷ ହେଲା ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟ ବା ସନ୍ଦିଗ୍ଧ ତାଲିକାରେ ରଖିଥିଲା। ୪ ବର୍ଷ ମଧ୍ୟରେ ପାକିସ୍ତାନ ଏଥିରୁ ମୁକୁଳିବା ପାଇଁ ଅନେକ ପ୍ରୟାସ କରିଥିଲା। ହେଲେ ଏଫଏଟିଏଫ ପାକିସ୍ତାନର ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ନଥିଲା। ହେଲେ ଏବେ ପାକିସ୍ତାନ ତା’ର କାର୍ଯ୍ୟକଳାପରେ ଏଫଏଟିଏଫକୁ ସନ୍ତୁଷ୍ଟ କରିପାରିଛି। ତେଣୁ ଇସଲାମାବାଦ ସନ୍ଦିଗ୍ଧ ତାଲିକାରୁ ମୁକୁଳିଛି।
ଟେରର ଫାଇନାନ୍ସିଂ ଓ ମନ ଲଣ୍ଡରିଂ ଉପରେ ନଜର ରଖୁଥିବା ଏଫଏଟିଏଫ କହିଛି ଯେ ପାକିସ୍ତାନ ଆଉ ସଂସ୍ଥାର ବର୍ଦ୍ଧିତ ସମୀକ୍ଷା ପ୍ରକ୍ରିୟାରେ ରହିବ ନାହିଁ। ପାକିସ୍ତାନ ଏଣିକି ଏପିଜି(ଏସିଆ/ପ୍ୟାସିଫିକ ଗ୍ରୁପ ଅନ ମନି ଲଣ୍ଡରିଂ) ସହ ମିଳିତ ଭାବେ କାମ କରିବ। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ବନ୍ଦ ଓ ଆଣ୍ଟି ମନଲଣ୍ଡରିଂ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ପାଇଁ ପାକିସ୍ତାନ ଏପିଜି ସହ ମିଶି କାମ କରିବ ବୋଲି ଏଫଏଟିଏଫ କହିଛି।
ଏ ସମ୍ପର୍କରେ ଭାରତ ଏକ ବିବୃତ୍ତି ଜାରି କରି ଆତଙ୍କବାଦ ବିରୋଧରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିବାକୁ ବିଶ୍ବକୁ ଚେତାଇଛି । ଗ୍ରେ ଲିଷ୍ଟରୁ ହଟିଥିଲେ ମଧ୍ୟ ଆତଙ୍କବାଦ ଏବଂ ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ପାଣ୍ଠି ବନ୍ଦ କରିବା ପାଇଁ ପାକିସ୍ତାନ ନିଜର କାର୍ଯ୍ୟ ଜାରି ରଖିବ ବୋଲି ବିଶ୍ୱ ସମୁଦାୟ ସ୍ପଷ୍ଟ କରିବା ଉଚିତ ବୋଲି ଭାରତ କହିଛି। ଏଫ୍ଏଟିଏଫ୍ ଯୋଗୁଁ ପାକିସ୍ତାନ କିଛି କୁଖ୍ୟାତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା। ଏଥିରେ ୨୬/୧୧ ମୁମ୍ବାଇ ଆକ୍ରମଣର ଆତଙ୍କବାଦୀ ମଧ୍ୟ ସାମିଲ ଅଛନ୍ତି।
ସୂଚନା ଯେ, ଏଫଏଟିଏଫ ଏମିତି ଏକ ସଂସ୍ଥା ଯିଏ ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ଦେଶ ଗୁଡ଼ିକର ସମୀକ୍ଷା କରିଥାଏ ଓ ତଦନୁଯାୟୀ ଆର୍ଥିକ ସହାୟତା ମିଳିବାର ବ୍ୟବସ୍ଥା କରିଥାଏ। ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼େଇ କରୁ ନଥିବାରୁ ଏଫଏଟିଏଫ ଇସଲାମାବାଦକୁ ଗ୍ରେ ଲିଷ୍ଟରେ ରଖିଥିଲା। କିନ୍ତୁ ଏବେ ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳିଛି। ପାକିସ୍ତାନ ଗ୍ରେ ଲିଷ୍ଟରୁ ମୁକୁଳି ଥିବାରୁ ଦେଶକୁ ବିଭିନ୍ନ ରାଷ୍ଟ୍ରରୁ ପୂର୍ବଭଳି ଆର୍ଥିକ ସହାୟତା ମିଳିବାର ସମ୍ଭାବନା ରହିଛି।