ଏଣିକି ଆଫଗାନିସ୍ତାନରେ ପାଠ ପଢିପାରିବେ ମହିଳା
ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ସେଠାରେ ଆତଙ୍କରାଜ ବଢ଼ିବାରେ ଲାଗିଛି । ବିଶେଷ କରି ମହିଳା ମାନେ ପ୍ରଭାବିତ ହେଉଛନ୍ତି । ଅନେକ ମହିଳା ଅତ୍ୟାଚାରର ଶିକାର ହେଉଥିବା ବେଳେ ବଳାତ୍କାର ପରେ ହତ୍ୟା ମଧ୍ୟ କରାଯାଉଛି । ହେଲେ ଏହାରି ମଧ୍ୟରେ ତାଲିବାନ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ଦେଶର ମହିଳାମାନଙ୍କୁ ପାଠ ପଢିବାର ମିଳିବ ସ୍ୱାଧିନତା । ଏନେଇ ତାଲିବାନର କାର୍ଯ୍ୟକାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅବଦୁଲ ହକାନୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ତାଲିବାନ ଶାସନରେ ଝିଅମାନେ ବିଶ୍ୱବିଦ୍ୟାଳୟରେ ପାଠପଢିପାରିବେ । ତେବେ ଏହି ସମୟ ମଧ୍ୟରେ ପୁଅ ଏବଂ ଝିଅମାନଙ୍କର ଏକାଠି କ୍ଲାସ ଚାଲିବ ନାହିଁ । କେବଳ ସେତିକି ନୁହେଁ ମହିଳାମାନଙ୍କୁ ଅଧ୍ୟୟନ ପରେ କାମ କରିବାକୁ ମଧ୍ୟ ଅନୁମତି ଦିଆଯିବ । ୧୯୯୦ ଶାସନ ପୂର୍ବରୁ ତାଲିବାନ ବାଳିକା ଶିକ୍ଷା ବିରୋଧୀ ଥିଲା । ସେ ଝିଅମାନଙ୍କୁ କଲେଜ ଯିବାକୁ ବାରଣ କରାଯାଉଥିଲା । ଏବେ ତାଲିବାନ ପୁଣି କ୍ଷମତାକୁ ଆସିବା ପରେ ଏହା ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିଛି । କାର୍ଯ୍ୟକାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅବଦୁଲ ହକାନୀ ଝିଅମାନଙ୍କର ଶିକ୍ଷା ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଆଫଗାନିସ୍ତାନର ଲୋକମାନେ ଶାରିଆ ଆଇନ ଅନୁଯାୟୀ ଉଚ୍ଚଶିକ୍ଷା ଲାଭ କରିପାରିବେ । ବିଶ୍ୱବିଦ୍ୟାଳୟରେ ଝିଅମାନଙ୍କ ପାଇଁ ଅଲଗା କ୍ଲାସ ଚାଲିବ ବୋଲି ସେ କହିଛନ୍ତି । ସେମାନଙ୍କୁ ପୁଅମାନଙ୍କ ସହିତ ଅଧ୍ୟୟନ କରିବାକୁ ଦିଆଯିବ ନାହିଁ । ଏହାପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରଠାରୁ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଥିଲା ।