ଓଡ଼ିଶା ପୋଲିସ ପକ୍ଷରୁ ଆଡଭାଇଜରୀ ଜାରି ! ସେକ୍ସଟରସନ ବିରୋଧରେ ମୁକାବିଲା ସହ ସଚେତନ ରହିବାକୁ ପରାମର୍ଶ, ଜାଣନ୍ତୁ ଏହା କଣ
ଭୁବନେଶ୍ୱର: ରାଜ୍ୟରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ । ଆପଣଙ୍କ ଦୁର୍ବଳ ମୂହୁର୍ତ୍ତର ଭିଡିଓ ନେଇ ଆପଣଙ୍କୁ କରିପାରନ୍ତି ବ୍ଲାକମେଲ । ଏଥିପାଇଁ ଓଡି଼ଶା ପୋଲିସ ଜାରି କରିଛି ଆଡଭାଇଜରୀ । ସେକ୍ସଟରସନ ବିରୋଧରେ ମୁକାବିଲା କରିବା ସହ ଲୋକେ ସଚେତନ ରହିବାକୁ ପୋଲିସ ଦେଇଛି ପରାମର୍ଶ । କଣ ଏହି ସେକ୍ସଟରସନ୍ ଆଉ କିଭଳି ଡିଜିଟାଲ ସୁନ୍ଦରୀ କରିଥାନ୍ତି ଟାର୍ଗେଟ ଏହାର ଟିକିନିକ୍ ତଥ୍ୟ ଜାଣନ୍ତୁ…
କଣ ଆପଣ ହ୍ବାଟସ୍ ଆପ, ଫେସବୁକ, ଇନଷ୍ଟାଗ୍ରାମରେ ଆକ୍ଟିଭ ଅଛନ୍ତି କି । ଟ୍ବିଟର ଆପଣ ବ୍ୟବହାର କରୁଛନ୍ତି କି । ୟୁଟ୍ୟୁବରେ ଆପଣ ଭିଡିଓ ଦେଖିବାକୁ ପସନ୍ଦ କରୁଛନ୍ତି କି । ଏଭଳି ସବୁ ସୋସିଆଲ ମିଡିଆ ବ୍ୟବହାର କରି କୌଣସି ଅଜଣା ମହିଳାଙ୍କ ସହ ସମୟ ବିତାଉଛନ୍ତି କି । ଆପଣଙ୍କ ପାଖକୁ କୌଣସି ଅଜଣା ଯୁବତୀଙ୍କ ଭିଡିଓ କଲ ଆସୁଛି କି । ଯଦି ଆସୁଛି ତା ହେଲେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ରାଜ୍ୟରେ ସକ୍ରିୟ ଅଛନ୍ତି ଡିଜିଟାଲ ସୁନ୍ଦରୀ । ହାଏ ହାଲୋ କହି ଯୁବକଙ୍କୁ ସେମାନଙ୍କ ଶୀକାର କରି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ।
ବିଶେଷ କରି ବରିଷ୍ଠ ନାଗରିକ, ଏକା ରହୁଥିବା ପୁରୁଷଙ୍କୁ ସେମାନେ କରୁଛନ୍ତି ଟାର୍ଗେଟ । ବାରମ୍ବାର ଏଭଳି ଠକେଇ ପରେ ଓଡି଼ଶା ପୋଲିସ ଜାରି କରିଛି ଆଡଭାଇଜରୀ । ଅଶ୍ଳୀଳ ଭିଡିଓ ଚାଟ୍ ରୁ ଦୂରେଇ ରୁହିବାକୁ ଓଡି଼ଶା ପୋଲିସ ଦେଇଛି ପରାମର୍ଶ । ଫେକ୍ ଆକାଉଣ୍ଟ କରି ଅଶ୍ଳୀଳ ଭିଡ଼ିଓ ଚାଟ୍ କରି ବ୍ଲାକମେଲିଂ ଜରିଆରେ ଟଙ୍କା ଲୁଟୁଥିବା ନେଇ ଓଡି଼ଶା ପୋଲିସ କରିଛି ସଚେତନ । ଡିଜିଟାଲ ସୁନ୍ଦରୀଙ୍କ ପଛରେ ରହିଛି ସାଇବର ଠକଙ୍କ ଏକ ବଡ ରାକେଟ । ଏଭଳି କୌଶଳ ପ୍ରତି ସାବଧାନ ରହିବାକୁ ପରାମର୍ଶ ।
ଏଭଳି ସୁନ୍ଦରୀମାନେ ବାରମ୍ବାର ନିଜ ନିଜ ଶୀକାର ଖୋଜିବାରେ ଲାଗିଥାନ୍ତି । ପର୍ସନାଲ ନମ୍ବର ଆଣି ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଯୁବକଙ୍କୁ ଖୋଜିବାରେ ଲାଗିଥାନ୍ତି । ତା’ ପରେ ଆରମ୍ଭ ହୁଏ ସେମାନଙ୍କ ଜାଲ ବିଛାଇବା କାମ । ଆଉ ହାଏ ହାଲୋରୁ ଆରମ୍ଭ ହୁଏ କାମ । ଶେଷରେ ଯୁବକଙ୍କ ଦୁର୍ବଳତାର ଫାଇଦା ଉଠାଇ ଭିଡିଓ ନେଇ ଆରମ୍ଭ କରନ୍ତି ବ୍ଲାକମେଲ୍ । ଏଭଳି ବ୍ଲାକମେଲକୁ ସାଇବର ପାଠରେ କୁହାଯାଏ ସେକ୍ସଟରସନ । ଓଡି଼ଶାରେ ଅନେକ ଯୁବକ, ବୟୋଜ୍ୟୈଷ୍ଠ ଲୋକ ଏହି ସେକ୍ସଟରସନର ଶୀକାର ହୋଇସାରିଛନ୍ତି । ହେଲେ ସରକାରୀ ଅଧିକାରୀ, ଲୋକ ଲଜ୍ଜା ଭୟରେ ସେମାନେ ଥାନାରେ ଅଭିଯୋଗ କରିପାରନ୍ତି ନାହିଁ । ଯାହାର ଫାଇଦା ଉଠାଇଥାନ୍ତି ଏଭଳି ଠକ ଗ୍ୟାଙ୍ଗ । ଏଥିପାଇଁ ସଚେତନ ରହିବାକୁ ବାରମ୍ବାର ଲୋକଙ୍କୁ ପରାମର୍ଶ ଦେଉଛନ୍ତି ପୋଲିସ ।
ସାଇବର ଏକ୍ସପର୍ଟଙ୍କ କହିବା କଥା ଲୋକେ ଏଥିପାଇଁ ପ୍ରଥମେ ସଚେତନ ରହିବା ଦରକାର । ଯଦି ବି ସେମାନେ ଏହାର ଶୀକାର ହେଉଛନ୍ତି ତୁରନ୍ତ ପୋଲିସରେ ଅଭିଯୋଗ କରିବା ଆବଶ୍ୟକ । ଯେଉଁ ସାଇବର ଅପରାଧୀ ବ୍ଲାକମେଲ କରୁଛନ୍ତି ସେମାନଙ୍କ ମୁଖ୍ୟ ଟାର୍ଗେଟ ହେଉଛି ଟଙ୍କା । ପୀଡିତଙ୍କ ଫଟୋ ଅପଲୋଡ କରି ସେମାନଙ୍କୁ କୌଣସି ଲାଭ ପାଇନଥାନ୍ତି । ଠକାମୀର ଶୀକାର ଲୋକଙ୍କ ଭୟକୁ ନେଇ ସେମାନେ ଖେଳିଥାନ୍ତି ଖେଳ । ତେଣୁ ଲୋକେ ସଚେତନ ହୋଇ ନିର୍ଭୟରେ ଥାନାରେ ଅଭିଯୋଗ କରିବା ଜରୁରୀ ।