ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି! ଯିଏ ଯେଉଁଠି ଅଛନ୍ତି ସେଠି ରୁହ
ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପରେ ୟୁକ୍ରେନ୍ରେ ସ୍ଥିତି ଗମ୍ଭୀର ହୋଇ ପଡ଼ିଛି । ରୁଷର ଘନଘନ ଆକ୍ରମଣ ଯୋଗୁ ୟୁକ୍ରେନ ସ୍ଥିତି ସାଂଘାତିକ ହୋଇ ଯାଇଛି । ବିଶେଷ କରି ରାଜଧାନୀ କିଭରେ ରୁଷ ସୈନ୍ୟ କ୍ରୁଜ ମିସାଇଲ ମାଡ଼ କରୁଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏବେ ୟୁକ୍ରେନର ସହର ମୁହାଁ ଋଷ ସେନା । ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଭାରତ ସରକାର । ଋଷ- ୟୁକ୍ରେନ ଯୁଦ୍ଧ ନେଇ ଭାରତର ଚିନ୍ତା ।
ଭାରତୀୟ ଦୂତାବାସ ପକ୍ଷରୁ ହୋଇଛି ଆଡଭାଇଜରି ଜାରି । ଯିଏ ଯେଉଁଠି ଅଛନ୍ତି ସେଠି ରହିବାକୁ କୁହାଗଲା । ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । ୟୁକ୍ରେନ ବିମାନ ସୀମାକୁ ବନ୍ଦ କରି ଦେଇଥିବାରୁ ସେଠାରେ ଥିବା ଭାରତୀୟମାନେ ସ୍ୱଦେଶ କେମିତି ଫେରିବେ । ତା’କୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଏସବୁ ଭିତରେ କିଭରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକ ଓ ଶିକ୍ଷାର୍ଥୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଦୂତାବାସ ପକ୍ଷରୁ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରମର୍ଶ ଦିଆଯାଇଛି। ଯେଉଁମାନେ ଏବେ କିଭ୍ ଆସୁଛନ୍ତି, ସେମାନେ ନିଜର ଗସ୍ତ ସୂଚୀ ବଦାଳାଇ ଦିଅନ୍ତୁ। ଏବେ କିଭ୍ ଆସନ୍ତୁ ନାହିଁ। ବିଶେଷ କରି ପଶ୍ଚିମ କିଭ୍ରୁ ଆସୁଥିବା ଲୋକମାନେ ସେମାନଙ୍କ ପୂର୍ବ ସହରକୁ ଫେରି ଯାଆନ୍ତୁ। ପଶ୍ଚିମ ଦେଶ ସୀମାନ୍ତରେ ଥିବା ସୁରକ୍ଷିତ ସ୍ଥାନକୁ ସେମାନେ ଫେରିଯିବା ଦରକାର ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଦୂତାବାସ ପରବର୍ତ୍ତୀ ଅବସ୍ଥାରେ ଲୋକଙ୍କୁ ଅପଡେଟ ଦେବ ବୋଲି ମଧ୍ୟ କହିଛି।