ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ବ
ଭୁବନେଶ୍ୱର : ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ବ ଦେଇଛନ୍ତି । ସେ ଏବେ ଅର୍ଥ ସହ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ବି ସମ୍ଭାଳିବେ।
ସୂଚନା ଯେ, ଗତ ରବିବାର ଦିନ ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ପୋଲିସ ଏଏସ୍ଆଇ ଗୋପାଳ ଦାସ ଗୁଳି କରିଥିଲେ । ଯେଉଁଥିରେ ନବ ଦାସ ହିଁ ଘଟଣାସ୍ଥଳରେ ଟଳିପଡିଥିଲେ । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ସ୍ୱତନ୍ତ୍ର ବିମାନ ଯୋଗେ ନବ ଦାସଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ଗ୍ରୀନ୍ କରିଡରରେ ନବ ଦାସଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଲଗାତର ଭାବେ ନବ ଦାସଙ୍କ ଚିକିତ୍ସା ଲାଗି ଆପ୍ରାଣ ଉଦ୍ୟମ କରିଥିଲେ । ହେଲେ ଶେଷରେ ଡାକ୍ତରଙ୍କ ଶତ ଚେଷ୍ଟା ହୋଇଥିଲା ବିଫଳ । ଆଉ ମେଡିକାଲରେ ହିଁ ଆଖିବୁଜିଥିଲେ ନବ ଦାସ ।