ରାଜ୍ୟରେ ସକ୍ରିୟ ଲଘୁଚାପ, ପ୍ରବଳ ବର୍ଷା ନେଇ ଆଜି ୭ ଜିଲାକୁ ଅରେଞ୍ଜ ଓ ୯ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମ ବଙ୍ଗ ଓ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ଏହାର ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଆଜି ବି ଭୀଷଣ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ପଶ୍ଚିମ ଓଡ଼ିଶାର ୭ ଜିଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଯାଏ ବର୍ଷିପାରେ । ସେହିପରି ୯ ଜିଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଂ । ସେସବୁ ଜିଲାର କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ବର୍ଷା ପ୍ରଭାବ କମିବ । ଆସନ୍ତାକାଲି ପାଇଁ ୬ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ହୋଇଛି ହାରାହାରି ୨୩ ମିଲିମିଟର ବର୍ଷା । ଯାହା ସ୍ବାଭାବିକ ବର୍ଷା ୬.୯ ମିଲିମିଟର ତୁଳନାରେ ୨୪୨ ପ୍ରତିଶତ ଅଧିକ । କୋରାପୁଟ ସହରର ଗତ ୨୪ ଘଣ୍ଟାରେ ସର୍ବାଧିକ ୧୬୮ ମିଲିମିଟର ବର୍ଷା ହୋଇଛି ।