ବଙ୍ଗୋପସାଗରରେ ସକ୍ରିୟ ସୁଦୃଶଃ ଲଘୁଚାପ, ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ସୁଦୃଶଃ ଲଘୁଚାପ କ୍ଷେତ୍ର ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ରାଜ୍ୟରେ ଏଭଳି ପାଗ ଆଉ ତିନି ଦିନ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି ମଧ୍ୟ ୧୧ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ସେହି ଜିଲା ଗୁଡିକ ହେଲା, କେନ୍ଦୁଝର, ଅନୁଗୁଳ, ଦେବଗଡ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ, ସୁବର୍ଣ୍ଣପୁର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଓ ମୟୂରଭଞ୍ଜ । ଏହି ସବୁ ଜିଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏନେଇ ତଳିଆ ଆଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ଏନେଇ ଏସବୁ ଜିଲାର ଜିଲାପାଳ ମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଏଥିସହ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲା ଗୁଡିକ ହେଲା ନୟାଗଡ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କଟକ ଓ ଯାଜପୁର । ଏହି ସବୁ ଜିଲାରେ ବି ପ୍ରବଳ ବର୍ଷା ହେବାର ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଏଭଳି ଭାବରେ ଆଉ ୨ ରୁ ତିନି ଦିନ ବର୍ଷା ହେବାର ସମ୍ଭାବନା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଓଡିଶାରେ ଜୁନ ୧ ରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ୧୧୦୫.୪ ପ୍ରତିଶତ ବର୍ଷା ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ ଅଟେ । ୩୦ଟି ଜିଲ୍ଲା ମଧ୍ୟରୁ ତିନୋଟି ଜିଲାରେ ସବୁଠୁ କମ୍ ବର୍ଷା ହୋଇଛି। ପୁରୀରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ କମ , କେନ୍ଦ୍ରାପଡ଼ାରେ ୨୬ ପ୍ରତିଶତ କମ୍ ଏବଂ ସେହିପରି ନବରଙ୍ଗପୁର ଜିଲାରେ ୨୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।