ଅନ୍ୟର ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଅର୍ଥ ଉଠାଣ ଅଭିଯୋଗ, ୩ ଗିରଫ
ବାଲେଶ୍ୱର : ମୋବାଇଲ କିଣିବା ବାହାନାରେ ଦୋକାନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାର କରି ଅର୍ଥ ଉଠାଉଥିବା ୩ ବଙ୍ଗୀୟ ଯୁବକଙ୍କୁ ଗିରଫ କରିଛି ବାଲେଶ୍ୱର ସାଇବର ଥାନା ପୁଲିସ । ପୁଲିସର ସୂୂଚନା ଅନୁସାରେ ରେମୁଣା ଥାନା ଅନ୍ତର୍ଗତ ହରିପୁର ଅଞ୍ଚଳର ମୁକ୍ତାର ଖାନଙ୍କ ପୁତ୍ର ମୱାର ଖାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଭିଯୁକ୍ତମାନେ ଅର୍ଥ ଉଠାଇଥିବା ସେ ସାଇବର ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୁଲିସ ୨/୨୦୨୩ ନଂର ମାମଲା ରୁଜୁ ସହ ତଦନ୍ତ ଜାରି ରଖିଥିଲା । ଅନୁସନ୍ଧାନରୁ ପୁଲିସ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ହେବା ସହ ସମ୍ପୃକ୍ତ ୩ ବଙ୍ଗୀୟ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ପଶ୍ଚିମବଙ୍ଗ ମୋହନପୁର ଅଞ୍ଚଳର ବିଜୟ ସେନ, ତାପସ ଦାସ ଓ ଅରୁଣ ଦାସ । ସେମାନଙ୍କଠାରୁ ଡବ୍ଲ୍ୟୁବି-୩୪ବିଏଚ/୫୨୬୩ ନଂର ୟମା-ଏଫଜେଡଏମ ମଡେଲର ଏକ ବାଇକ, ଗୋଟିଏ ଲାପଟପ, ୫ଟି ମୋବାଇଲ ଫୋନ, ୫୭ଟି ଏୟାରଟେଲ ୫-ଜି ସିମକାର୍ଡ଼, ବିଭିନ୍ନ ବ୍ୟାଙ୍କର ୬ ଗୋଟି ଏଟିଏମ କାର୍ଡ଼ ଓ ୨୦ ହଜାର ଟଙ୍କା ପୁଲିସ ଜବତ କରିଛି । ସେମାନଙ୍କୁ ଏବେ ପଚରାଉଚୁରା କରାଯାଉଥିବା ପୁଲିସ ସୂଚନା ଦେଇଛି ।