କୋର୍ଟରୁ ଫେରାର ଅଭିଯୁକ୍ତ ତେଲେଙ୍ଗାନାରୁ ଗିରଫ
ଭୁବନେଶ୍ୱର : ଭୁବନେଶ୍ୱର କୋର୍ଟରୁ ଫେରାର ହୋଇଯାଇଥିବା କଏଦୀକୁ ତେଲେଙ୍ଗାନାରୁ ଗିରଫ କରିଛି ବଡଗଡ ପୋଲିସ୍ । ଗିରଫ ଅଭିଯୁକ୍ତ ହେଲା ବିଜୟ ମାଣିଆ ଏବଂ ସେ ଗେଂଜଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିଲା । ବଡଗଡ଼ ଥାନା ପୋଲିସ ତାକୁ ତେଲେଙ୍ଗାନା ରାଜ୍ୟର ସାଇବରାବାଦ ଥାନା ଅନ୍ତର୍ଗତ କୁଣ୍ଡୁର ଅଂଚଳରୁ ଗିରଫ କରିଛି । ଗତ ଜୁନ ୨୫ ତାରିଖରେ ବିଜୟ କୋର୍ଟରୁ ଫେରାର ହୋଇଯାଇଥିଲା ।
ପୋଲିସ ସୂଚନା ଅନୁସାରେ ୨୦୧୯ ମସିହାରେ ବିଜୟ ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ କଟକ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇଥିଲା । ପରେ ଗତ ଜୁନରେ ୨୫ ତାରିଖରେ କୋର୍ଟ ତାକୁ ୧୦ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ । କୋର୍ଟଙ୍କ ରାୟ ଆସିବା ପରେ ପୋଲିସକୁ ଚକମା ଦେଇ ଛୁ ମାରିଥିଲା ବିଜୟ । ଫେରାର ପରେ ପ୍ରଥମେ କଟକ ପରେ ପୁରୀରୁ ଟ୍ରେନ ଯୋଗେ ତେଲେଙ୍ଗାନା ପାଳାଇ ଯାଇ ଏକ ପେପର ମିଲରେ କାମ କରୁଥିବା ବେଳେ ପୋଲିସ୍ ତାକୁ ଗିରଫ କରିଛି ।