ଦୀପାବଳିରେ ଅଘଟଣ, କ୍ୟାପିଟାଲ୍ ହସ୍ପିଟାଲରେ ଶତାଧିକ ଆହତ ଭର୍ତ୍ତି
ଭୁବନେଶ୍ୱର : ଦୀପାବଳିରେ ଅଘଟଣ । ଆଲୋକ ପର୍ବ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଆହତ ହୋଇଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ଶତାଧିକ ଆହତ ହୋଇଛନ୍ତି। କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଯାଇଛନ୍ତି। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି ।
ସୂଚନା ଯେ, ରାଜଧାନୀର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ଶତାଧିକ ଆହତ ହୋଇଛନ୍ତି। କିଛି ଗୁରୁତରଙ୍କୁ ରବିବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ କିଛିଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କାହାର ହାତ ପୋଡ଼ି ଯାଇଥିଲା, ତ କାହାର କାନ ମୁଣ୍ଡାରୁ ରକ୍ତ ଝରୁଥିଲା । କିଏ ନିଜ ଭୁଲ ପାଇଁ ଆହତ ହୋଇଥିଲା, ତ ଆଉ କିଏ ଅନ୍ୟ ଭୁଲ ପାଇଁ ଆହତ ହୋଇ ହସ୍ପିଟାଲକୁ ଆସିଥିଲା । କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଅଧିକ ଚିକିତ୍ସିତ ହୋଇଛନ୍ତି ।
ସେହିଭଳି କଟକରେ ବାଣ ଫୁଟାଇ ୨୭ରୁ ଅଧିକ ଆହତ ହୋଇ ଏସସିବିରେ ଚିକିତ୍ସିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ବି ଅନେକ ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଏକଲପୁର ଗାଁରେ ବାଣ ନିଆଁରେ ଜଳିଗଲା ଜଳଖିଆ ଦୋକାନ । ସେହିପରି ବାରିପଦାରେ ସ୍କାଏ ଲଣ୍ଠନରୁ ନିଆଁ ଲାଗି ଟେଣ୍ଟ ହାଉସ୍ ଜଳାଯାଇଛି । ଛାରଖାର ହୋଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।
ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଏଥର ବିଏମ୍ସି ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି । ଦୁର୍ଘଟଣା ଏଡାଇବାକୁ ବାଣ ଦୋକାନରେ ବ୍ୟବସାୟୀମାନେ ଦୁଇଟି ଡଷ୍ଟବିନ୍ ଓ ଆବଶ୍ୟକ ପାଣି ଓ ବାଲି ମଧ୍ୟ ମହଜୁଦ୍ ରଖିବାକୁ କୁହାଯାଇଥିଲା। ଏହାର ତଦାରଖ କରିବା ପାଇଁ ବିଏମ୍ସି, କମିସନରେଟ ପୋଲିସ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସ୍କ୍ୱାର୍ଡ ଗସ୍ତ କରିଥିଲା।