ଦ୍ୱାରଶୁଣୀ ଘାଟିରେ ଦୁର୍ଘଟଣା : ବସ୍କୁ ପିଟିଲା ଟ୍ରକ୍, ଜଣେ ମୃତ
ଦୁର୍ଘଟଣା ପରେ ଆହତଙ୍କୁ ଧରି ମେଡିକାଲ୍ରେ ପହଞ୍ଚିଲା ବସ୍
ବାଙ୍ଗିରିପୋଷି : ଦ୍ୱାରଶୁଣୀ ଘାଟିରେ ପୁଣି ଥରେ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନ ସମୟରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ନିକଟ ଦ୍ୱାରଶୁଣୀ ଘାଟିରେ ବାରିପଦା ଠାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବସ ସହିତ ଏକ୍ ଟ୍ରକ୍ର ଧକ୍କା ହୋଇଥିଲା। ଏଥିରେ ଜଣେ ବସ୍ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଭୂଷଣ ରଣା। ଦୁର୍ଘଟଣାରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏଥିରୁ ୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି। । ଫଳରେ ବସ୍ରେ ବସିଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସବ୍ଟି ଘାଟି ତଳକୁ ଖସି ନଥିଲା। ପରେ ଚାଳକ ଦୁର୍ଘଟଣାଗ୍ରସ୍ତ ବସ୍ରେ ସମସ୍ତ ଆହତ ଯାତ୍ରୀଙ୍କୁ ଧରି ବାଙ୍ଗିରିପୋଷି ଡାକ୍ତରଖାନାରେ ପହଞ୍ଚି ଥିଲେ। ସମସ୍ତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତଙ୍କ ଭିତରେ ଗୋଟିଏ ପରିବାରର ବାପା, ମା ଓ ଆଠ ବର୍ଷର ପୁଅ ଅଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି।
ଶନିବାର ଦିନ ପ୍ରାୟ ୨.୪୫ରେ ‘ଶିବ ପାର୍ବତୀ’ ନାମକ ଏକ ବସ୍କୁ ଟ୍ରକ୍ଟି ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ବସଟି ଘାଟି ଉପରକୁ ଚଢ଼ୁଥିଲା। ତେବେ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇ ବସ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ମୋଟ୍ ୨୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଅତି ସଙ୍କଟାପନ୍ନ ଥିବା ଗୁରୁତର ଆହତଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ପଠାଯାଇଥିବା ବେଳେ ଅନ୍ୟମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ସୂଚନା ପାଇ ଘଟଣାସ୍ଥଳକୁ ପୁଲିସ ଏବଂ ଦମକଳ ବାହିନୀର କର୍ମଚାରୀମାନେ ପହଂଚିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଟ୍ରକ ତଳେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ପୁଲିସ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ସୂଚନା ଯେ, ଗତ କିଛି ବର୍ଷ ହେବ ବାଙ୍ଗିରିପୋଷି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଯେଉଁପାଇଁ ଅନେକ ଧନ ଜୀବନ ହାନୀ ଘଟୁଛି। ସଂକୀର୍ଣ୍ଣ ରାସ୍ତା ପାଇଁ ଦୁର୍ଘଟଣା ଘଟୁଥିବା ଆଲୋଚନା ହେଉଛି। ତେଣୁ ଏହି ରାସ୍ତାକୁ ସଂପ୍ରସାରଣ କରିବା ପାଇଁ ବାରମ୍ୱାର ଦାବି ହେଉଛି। ମାତ୍ର ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହେଉଛି।