ଆବୁଧାବି ସି ୱାର୍ଲଡରେ ସ୍ଥାନ ପାଇବ ବିଶ୍ୱର ସର୍ବବୃହତ ଏବଂ ବ୍ୟୟବହୁଳ ସାମୁଦ୍ରିକ ଆକ୍ୱାରିୟମ
ଆବୁଧାବି : ଆବୁଧାବିରେ ନିର୍ମାଣ ଚାଲିଚି ଜଳଜୀବ ମାନଙ୍କୁ ନେଇ ପରବର୍ତ୍ତୀ ପିଢିର ଥିମ୍ ପାର୍କ ସି ୱାର୍ଲଡ। ସେଠାରେ ବିଶ୍ୱର ସର୍ବବୃହତ ଏବଂ ସବୁଠାରୁ ବ୍ୟୟବହୁଳ ସାମୁଦ୍ରିକ ଆକ୍ୱାରିୟମ ସ୍ଥାନ ପାଇବ। ସିୱାର୍ଲଡ ପାର୍କସ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ଏବଂ ଆବୁ ଧାବିର ମିରାଲ୍ ଏହି ସି ୱାର୍ଲଡ ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରିରଖିଛନ୍ତି। ଇତିମଧ୍ୟରେ ସାମୁଦ୍ରିକ ଜଳଜୀବମାନଙ୍କର ଏହି ପାର୍କର ୬୪% କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ସମୁଦାୟ ନିର୍ମାଣ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ ହେବା ଆଶା କରାଯାଉଛି।
ୟସ୍ ଦ୍ୱୀପରେ ନିର୍ମାଣାଧୀନ ସିୱାର୍ଲଡ ଆବୁ ଧାବିରେ ବିଶ୍ୱର ସର୍ବବୃହତ ଏବଂ ସର୍ବାଧିକ ଜଳଜୀବ ରହିଥିବା ଆକ୍ୱାରିୟମ ସ୍ଥାପନ ହେବ, ଯେଉଁଥିରେ ୨୫ ନିୟୁତ ଲିଟର ଜଳ ଧାରଣ କ୍ଷମତା ରହିବ ଏବଂ ସେଥିରେ ୬୮,୦୦୦ ପ୍ରକାରରୁ ଅଧିକ ସାମଦ୍ରୁିକ ଜୀବ ସ୍ଥାନପାଇବେ। ଏହି ଜଳ ଜୀବଗୁଡିକ ମଧ୍ୟରେ ମଣ୍ଟା ରେ, ସାର୍କ, ବିଭିନ୍ନ ପ୍ରଜାତିର ମାଛ ଏବଂ ସାମୁଦ୍ରିକ କଇଁଛ ଆଦି ଅନ୍ତର୍ଭୁକ୍ତ। ଦର୍ଶକଙ୍କ ପାଇଁ ଏଠାରେ ୨୦ ମିଟର ଉଚ୍ଚତାର ଏକ ଦେଖିବାଭଳି କାଚ ଝରକା ରହିବ। ସି ୱାର୍ଲଡ ଆବୁ ଧାବିର ବିଷୟବସ୍ତୁ ରହିବ ‘ଏକ ମହାସାଗର’, ଯେଉଁଥିରେ ଭୂଭାଗ ଓ ମହାସାଗରରେ ରହୁଥିବା ପ୍ରାଣୀମାନଙ୍କ ମଧ୍ୟରେ ଆନ୍ତଃସଂପର୍କକୁ ପ୍ରଦର୍ଶିତ କରାଯିବ। ସାମୁଦ୍ରିକ ଜୀବ ପାର୍କରେ ଛଅଟି ଭିନ୍ନ ଭିନ୍ନ ଭାଗରେ ଏହି ବିଷୟକୁ ପରସ୍ପର ସହିତ ସଂଯୁକ୍ତ କରାଯିବ।