ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ “ଆମ ଚା’ ଖଟି” ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ‘ଆମ ଚା’ ଖଟି’ ନାମରେ ଗୋଟିଏ ଅଭିନବ ଅନୁଷ୍ଠାନର ଆୟମାରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହାର ବିଧିବଦ୍ଧ ଭାବରେ ଉଦ୍ଘାଟନ କରିଛନ୍ତି । ଏହି ଅନୁଷ୍ଠାନର ଅଭିନବତା ଏହା ଯେ, କ୍ଷୁଦ୍ର କ୍ୟାଣ୍ଟିନ୍ ପରି ଦେଖାଯାଉଥିବା ଏହି ପ୍ରଦୋଷାହାର କେନ୍ଦ୍ରଟିକୁ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ରହୁଥିବା ୬ଗୋଟି ଛାତ୍ରାବାସ ଓ ଛାତ୍ରୀନିବାସର ଅନ୍ତେବାସୀ ଓ ଅନ୍ତେବାସିନୀମାନେ ପରିଚାଳନା କରୁଛନ୍ତି ।
ରତ୍ୟେକ ମାସ ଗୋଟିଏ ଛାତ୍ରାବାସର ପାଳି ପଡ଼ିବ । ନିଜେ ପରିଚାଳନା କରୁଥିବା ପ୍ରତିଟି ସାମଗ୍ରୀର ଦାମ୍ କମ୍ ରହିବ ଏବଂ ତାର ମାନ ସ୍ୱାସ୍ଥ୍ୟ ଉପଯୋଗୀ ହୋଇପାରିବ । ପ୍ରତିଟି ଛାତ୍ରାବାସ ସେମାନଙ୍କ ଛାତ୍ରୀଛାତ୍ର କମିଟିମାନଙ୍କ ଦ୍ୱାରା ନିର୍ଦ୍ଧାରିତ ବିଭିନ୍ନ କିସମର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କରିବେ ଏବଂ ବର୍ଷ ଶେଷରେ ସେମାନଙ୍କ ଭିତରୁ ଶ୍ରେଷ୍ଠ ବିବେଚିତ ଛାତ୍ରାବାସ/ଛାତ୍ରୀ ନିବାସକୁ ପୁରସ୍କୃତ କରାଯିବ । ଛାତ୍ରୀଛାତ୍ର ଅପରାହ୍ନ ୫ରୁ ୬ଟା ୩୦ମିନିଟ୍ ପର୍ଯ୍ୟନ୍ତ ଏହା ପ୍ରସ୍ତୁତ କରିବେ ଏବଂ ତାହାର ବିକ୍ରୟ କରିବେ । ଅବସର ସମୟର ଗଠନମୂଳକ ସଦୁପଯୋଗ ତଥା ଦଳଗତ ପ୍ରୟାସକୁ ଏପରି ଭାବେ ଆନୁଷ୍ଠାନିକ ରୂପ ଦିଆଯାଇଛି । ଏହି ଉଦ୍ଘାଟନ ପର୍ବରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, କୂଳସଚିବ କୁକୁମୀନା ଦାସ, ବିତ୍ତ ନିୟନ୍ତ୍ରକ ମାନସ କୁମାର ପାତ୍ର, ୱାର୍ଡ଼େନ୍ ପ୍ରଫେସର ଅନିଲ କୁମାର ମହାପାତ୍ର, ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ଶତାଧିକ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଯୋଗଦେଇ କାଉଣ୍ଟରରୁ ଟୋକନ୍ କାଟି ଚା’, କଫି, ଭୁବୁନି, ଆଳୁଚପ୍, ଚାଓମିନ୍, ଚିକେନ ପକୋଡ଼ା, ଅଣ୍ଡା ପୋଚ୍, ବରା ଏସବୁ କିଣି ଖାଇଥିଲେ । ପ୍ରଥମ ଛାତ୍ରନିବାସର ସୁପରିନ୍ଟେଣ୍ଡେଣ୍ଟ ଓ ରାମକୃଷ୍ଣ ପ୍ରଧାନ, ଡ. ମିହିର ଚିନୟ ଦାସ ତଥା ‘ଆମ ଚା’ ଖଟି’ର କଥା ବୁଝିଥିବା ଛାତ୍ରମାନଙ୍କ ସହ କେୟାର ଟେକରଙ୍କୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ।