ଆଧାର ସଂଯୋଗୀକରଣ ସାଧାରଣସେବା ପ୍ରଦାନକୁ ତ୍ୱରାନ୍ୱିତ କରିବ-ମୁଖ୍ୟ ଶାସନ ସଚିବ
ଆଧାର ବ୍ୟବହାର ସଂପ୍ରସାରଣ କର୍ମଶାଳା
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଧାର ବ୍ୟବହାର ସଂପ୍ରସାରଣ ସମ୍ବନ୍ଧିତ କର୍ମଶାଳା ଉଦ୍ଘାଟନ କରିଛନ୍ତି । ରାଜ୍ୟ ସରକାର ଏବଂ ଭାରତର ଏକକ ପରିଚୟ କର୍ତୁପକ୍ଷକଙ୍କ ମିଳିତ ସହଯୋଗିତାରେ ରାଜ୍ୟ ଲୋକସେବା ଭବନ କନଭେନ୍ସନ୍ ସେଂଟରରେ ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଆଧାର ନମ୍ବର ବ୍ୟବହାରର ସରଳୀକରଣ ନାଗରିକମାନଙ୍କ ଜୀବନ ଧାରାକୁ ସହଜ କରିବା ସହିତ ବିଭିନ୍ନ ପ୍ରକାର ସାଧାରଣ ସେବା ପ୍ରଦାନକୁ ଅଧିକ ତ୍ୱରାନ୍ୱିତ କରିବ । ଏହାର ବ୍ୟବହାର ଦ୍ୱାରା ବହୁ ସଙ୍ଖ୍ୟକ ଲୋକଙ୍କୁ ଏକ ସମୟରେ ସଠିକ୍ ଓ ସମୟାନୁବନ୍ଧିତ ସେବା ଯୋଗାଯାଇ ପାରିବ । ସକ୍ରିୟ ଅଂଶଗ୍ରହଣ ପୂର୍ବକ ବିଭିନ୍ନ ସେବା ପ୍ରଦାନ ସହ ଆଧାର ସଂଯୋଗୀକରଣ ସମ୍ବନ୍ଧୀୟ ପ୍ରଶ୍ନର ସମାଧାନ କରିବା ପାଇଁ କର୍ମଶାଳାରେ ଯୋଗ ଦେଇଥିବା ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଆଧାରରେ ସନ୍ନିବଶିତ ତଥ୍ୟ ଏବଂ ବାଇଓମେଟ୍ରିକ୍ ଛାପ ଆଦିକୁ ନିୟମିତ ସମୟ ବ୍ୟବଧାନରେ ଅପଡେଟ୍ କରିବା ପାଇଁ ମଧ୍ୟ ଆଧାର କର୍ତୁପକ୍ଷକଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ନବଜାତ ଶିଶୁ ଏବଂ ଆଧାର କେନ୍ଦ୍ରକୁ ଆସି ପାରିନଥିବା ଦିବ୍ୟାଙ୍ଗ ବା ନିଃସହାୟ ବୃଦ୍ଧ ବ୍ୟକ୍ତିମାନଙ୍କ ଆଧାର ପଞ୍ଜୀକରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ ।
ଗ୍ରାମ, ୱାର୍ଡ଼, ଗ୍ରାମ ପଂଚାୟତ ଆଦି ସ୍ତରରେ କାର୍ଯ୍ୟ କରୁଥିବା ‘ମୋ ସେବା କେନ୍ଦ୍ର’ ଗୁଡିକରେ ଆଧାର ପଂଜୀକରଣ ଏବଂ ସଂଶୋଧନ ସମ୍ବନ୍ଧିତ ସେବା ଯୋଗାଇବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ଆଧାର କର୍ତୁପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହାହେଲେ ଦୂରଦୂରାନ୍ତ ସ୍ଥିତ ଗ୍ରାମରେ ରହୁଥିବା ଲୋକମାନେ ମଧ୍ୟ ଆଧାର ସେବା ପାଇପାରିବେ । ବର୍ତମାନ ରାଜ୍ୟର ବିଭିନ୍ନ ଅଂଚଳରେ ୫୯୨୩ ଟି ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଆଧାର କର୍ତୁପକ୍ଷକଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସୌରଭ ଗର୍ଗ କହିଥିଲେ ଯେ ଆଧାର ନମ୍ବର ବ୍ୟବହାରରେ ଓଡ଼ିଶା ଏକ ଅଗ୍ରଦୃତ ରାଜ୍ୟ । ୧୮ ରୁ ଉର୍ଦ୍ଧ ଜନସଙ୍ଖ୍ୟାର ପଞ୍ଜୀକରଣ ଶତ ପ୍ରତିଶତ ପାଖାପାଖି ପହଂଚିଛି । ଆଧାର ନମ୍ବର ଆର୍ôଥକ ଓ ସାମାଜିକ ଅନ୍ତର୍ଭୁକ୍ତିକରଣର ଏକ ଚାବିକାଠି ବୋଲି ଡ଼ଃ ଗର୍ଗ କହିଥିଲେ । ଆଧାରର ବ୍ୟବହାର ଓ ପଞ୍ଜୀକରଣ ଆଦି କାର୍ଯ୍ୟର ସଠିକ୍ ପରିଚାଳନା ନିମନ୍ତେ ଶିଘ୍ର ଜିଲ୍ଲାସ୍ତରୀୟ କମିଟିମାନ ଗଠନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ ।
କର୍ମଶାଳାରେ ବୈଷୟିକ ପର୍ଯ୍ୟାୟରେ ଆଧାର ବ୍ୟବହାର ବୃଦ୍ଧି ନିମନ୍ତେ ନୂତନ ପ୍ରଚେଷ୍ଟା, ଆଧାର ଏବଂ ଇ-ଗଭର୍ନାନ୍ସ୍, ରାଜ୍ୟରେ ଆଧାରର ପ୍ରୟୋଗ, ସର୍ବୋତମ ପ୍ରାମାଣିତ ପଦ୍ଧତି, ହିତାଧିକାରୀମାନଙ୍କୁ ସିଧାସଳଖ ଆର୍ôଥକ ସହାୟତା ପ୍ରଦାନ ଆଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଉଦ୍ଯାପନୀ ପର୍ଯ୍ୟାୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିକାଶ ପ୍ରକ୍ରିୟାରେ ଜନସାଧାରଣଙ୍କ ଅନ୍ତର୍ଭୁକ୍ତିକରଣ ପାଇଁ ଆଧାର ବ୍ୟବହାରର ଏକ ଫଳଦାୟୀ ଉପାୟ ବୋଲି ଶ୍ରୀ ଜେନା କହିଥିଲେ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ କ୍ଷେତ୍ରସ୍ତରରେ ଏକ ଆଧାର ବ୍ୟବହାର ଉପଯୋଗୀ ବାତାବରଣ ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।